ତରକାରିରେ ଲୁଣ

କଥାଟିଏ - ଯାଯାବର

ୟୁଜିକେଙ୍କ ପାଖକୁ ଆସୁଥିବା ଅନୁଗାମୀଙ୍କ ଭିତରେ ଜଣେ ଅବାଗିଆ ଲୋକ ଥିଲେ, ଯାହାଙ୍କୁ ଅନ୍ୟମାନେ ରସଭଙ୍ଗକାରୀ ବୋଲି କହୁଥିଲେ। ୟୁଜିକେଙ୍କ ଉପଦେଶାବଳୀ ଶୁଣି ସମସ୍ତେ ସମ୍ମତିସୂଚକ ଭାବେ ମୁଣ୍ଡ ଟୁଙ୍ଗାରୁ ଥିବା ବେଳେ ସେହି ଭଦ୍ର ବ୍ୟକ୍ତି କିଛି ନା କିଛି ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଅଟକାଉ ଥିଲେ।

ଦିନକର କଥା। ସେହି ଭଦ୍ରଲୋକ ଆସି ନ ଥିଲେ। ଯେତେବେଳେ ଚର୍ଚ୍ଚାର ପର୍ବ ଆରମ୍ଭ ହେଲା ୟୁଜିକେ ପଚାରିଲେ- ସେ କାହାନ୍ତି?

ଅନ୍ୟମାନେ କହିଲେ- ସେ ଆଜି ଆସି ନାହାନ୍ତି। ତେବେ ଭଲ ହେଲା। ଆଜି ବିନା ବାଧାରେ ଶୁଣିବା।

ୟୁଜିକେ କିନ୍ତୁ କହିଲେ- ଆଜି ସୁଖ ଲାଗିବ ନାହିଁ?

ଜଣେ ଅନୁଗାମୀ ପଚାରିଲେ- ସେ ତ ରସଭଙ୍ଗ କରୁଥିଲେ। ଆପଣ ତାଙ୍କୁ ଖୋଜୁଛନ୍ତି କାହିଁକି?

ୟୁଜିକେ କହିଲେ- କଥା ହେଲା, ଆପଣମାନେ ସମସ୍ତେ ମୋର ମୁଗ୍‌ଧ ଶ୍ରୋତା। ମୁଁ ଯାହା କହୁଛି ଶୁଣୁଛନ୍ତି। ଆପଣମାନଙ୍କ ମୁହଁରୁ ପ୍ରଶ୍ନଟିଏ ଶୁଣୁନାହିଁ। କାରଣ ଆପଣମାନେ ମୋ ସହିତ ଏକ ମତ। କିନ୍ତୁ ୟା ଫଳରେ ଆପଣମାନଙ୍କ ଗହଣରେ କିଛି ଶିଖିବାର ଅବକାଶ ନାହିଁ, ନୂଆ ଚିନ୍ତାର ସୁଯୋଗ ନାହିଁ। ସେହି ଭଦ୍ରଲୋକ ମୋ ସହିତ ଅମତ ହୁଅନ୍ତି, ଯୁକ୍ତି କରନ୍ତି ଓ ‌େବଳେ ବେଳେ ଆଦୌ ମୋ ମତକୁ ମାନନ୍ତି ନାହିଁ। କିନ୍ତୁ ତା ଦ୍ବାରା ମୁଁ ଗଭୀର ଭାବେ ଚିନ୍ତା କରେ। ଅନେକ ବାର ସେମିତି‌େର ମୋର ବୁଦ୍ଧି ଉଦୟ ହୋଇଛି। ଆପଣମାନେ ସବୁ ତରକାରିରେ ପଡୁଥିବା ସମ ରସଧାରୀ ମସଲାଗୁଡ଼ିକ ଭଳି। କିନ୍ତୁ ସିଏ ଅଲଗା; ଲୁଣ ଭଳି। ତରକାରିର ସ୍ବାଦ ମସଲା ମାନଙ୍କ ଲାଗି ନୁହେଁ, ଲୁଣ ଲାଗି ଆସେ।

ସମ୍ବନ୍ଧିତ ଖବର