ଜଣେ ରାଜା ଥିଲେ। ସବୁ ରାଜାଙ୍କ ଭଳି ଏହି ରାଜାଙ୍କ ମନରେ ବି ଭୟଟିଏ ଥିଲା ଯେ କାଳେ କୌଣସି ଶତ୍ରୁ ବା ବିଦ୍ରୋହୀ ତାଙ୍କୁ ହତ୍ୟା କରି ତାଙ୍କ ସିଂହାସନ ଛଡ଼ାଇ ନେବ। ତେଣୁ ସେ ନିଜର ଅମାପ ସଂପତ୍ତି ବ୍ୟୟ କରି ନିଜ ପ୍ରାସାଦ ଚାରିପାେଖ ଏକ ଦୁର୍ଗ ଭଳି ପ୍ରାଚୀର ତିଆରି କଲେ ଏବଂ ତହିଁରେ ଯିବା ଆସିବା କରିବା ଲାଗି କେବଳ ଗୋଟିଏ ଦ୍ବାର ରହିଥିଲା। ସେଇ ଦ୍ବାରରେ ଏଭଳି ଲୌହ କବାଟ ଲାଗିଥିଲା, ଯାହାକୁ କାଟିବା ବା ଭାଙ୍ଗିବା ଅସମ୍ଭବ ଥିଲା। ରାଜା ସବୁ କିଛିର ବନ୍ଦୋବସ୍ତ କରିସାରିବା ପରେ ରାଣୀଙ୍କୁ ସବୁ ଦେଖାଇ କହିଲେ- ଏବେ ଏଇ କବାଟକୁ ବନ୍ଦ କରିଦେଲେ ଆମେ ବାହ୍ୟ ଶତ୍ରୁଙ୍କ ଠାରୁ ସଂପୂର୍ଣ୍ଣ ସୁରକ୍ଷିତ।
ରାଣୀ ସବୁ ଦେଖିଲେ ଏବଂ ତା ପରେ ଗୋପନରେ ଜଣେ ଅତ୍ୟନ୍ତ ବିଶ୍ବସ୍ତ କାରିଗରକୁ ଡକାଇ ପ୍ରାଚୀରରେ ଆଉ ଗୋଟିଏ ଛୋଟ ଗୁପ୍ତ ଦ୍ବାରର ବ୍ୟବସ୍ଥା କରାଇଲେ।
କିଛି ଦିନ ପରେ ସତରେ ବିଦ୍ରୋହ ହେଲା। ରାଜା ନିର୍ଭୟରେ ପ୍ରାଚୀରର କବାଟକୁ ବନ୍ଦ କରିବାର ଆଦେଶ ଦେଇ ଶାନ୍ତିରେ ବସିଲେ। କିନ୍ତୁ ଶତ୍ରୁ ପକ୍ଷ ଏହାକୁ ନିଜ ସୁବିଧାରେ ଲଗାଇଲେ। ସେଇ ଗୋଟିଏ କବାଟକୁ ସେମାନେ ବାହାରୁ କିଳି ଦେଲେ। ଫଳରେ ରାଜପ୍ରାସାଦ ଗୋଟିଏ ବନ୍ଦୀଶାଳାରେ ପରିଣତ ହୋଇଗଲା। କିଛି ଦିନ ଭିତରେ ଯେତେବେଳେ ପ୍ରାସାଦ ଭଣ୍ଡାରରୁ ଅନ୍ନ ସରିଗଲା, ଭାଳେଣି ପଡ଼ିଲା। ସେତିକି ବେଳେ ରାଣୀ ବ୍ୟବସ୍ଥା କରିଥିବା ଦ୍ବିତୀୟ ଦ୍ବାର ବାଟେ ରାଜପ୍ରାସାଦରୁ ବାହାରି ରାଜା ପ୍ରାଣ ବଞ୍ଚାଇବା ସହ ପଡ଼ୋଶୀ ମିତ୍ର ରାଜ୍ୟକୁ ପଳାୟନ କଲେ।
ଏହି କଥାଟି କହିସାରି ୟୁଜିକେ କହିଲେ ସମୀପଦର୍ଶୀ ଲୋକେ ଯାହାକୁ ଭଲ ବୋଲି ଭାବି ନିଷ୍ପତ୍ତି ନିଅନ୍ତି, ଦୂରଦର୍ଶୀମାନେ ସେଥିରେ ଲୁଚି ରହିଥିବା ବିପଦକୁ ଦେଖି ପାରନ୍ତି।