ଇଚ୍ଛାର ମାଲିକ

କଥାଟିଏ - ଯାଯାବର

ସିକନ୍ଦରଙ୍କ ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ କୌଣସି ରାଜା ବା ସମ୍ରାଟ ନ ଥିଲେ। ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ ଥିଲେ ଡିଓଜିନସ, ଜଣେ ଦାର୍ଶନିକ ଯିଏ ଦିଶୁଥିଲେ ଜଣେ ପାଗଳ ଭିକାରି ଭଳି ଏବଂ ନଦୀ କୂଳରେ ଗୋଟିଏ ନୂଆଁଣିଆ ଚାଳ ତଳେ ରହୁଥିଲେ। ଅଧିକାଂଶ ସମୟରେ ସେ ନଦୀ କୂଳରେ ଚାରି କାତ ମେଲାଇ ପଡ଼ିଥିବାର ଦେଖିବାକୁ ମିଳୁଥିଲା।

ଦିନେ ସିକନ୍ଦରଙ୍କ ସହିତ ସାକ୍ଷାତ ହୋଇଗଲା ଡିଓଜିନସଙ୍କର। ସିକନ୍ଦର କହିଲେ- ଡିଓଜିନସ, ମୁଁ ହେଉଛି ସମ୍ରାଟ ଆଲେକଜାଣ୍ଡାର। ମୁଁ ହେଉଛି ସମସ୍ତଙ୍କର ପ୍ରଭୁ। ଏ ସାମ୍ରାଜ୍ୟର ପ୍ରଭୁ। ମୁଁ ହେଉଛି ମାଲିକ।

ଡିଓଜିନସ ହସିଲେ। ହସ ନୁହେଁ ତ ଅଟ୍ଟହାସ୍ୟ। ସେ କହିଲେ- କୋଉଠିକାର ପ୍ରଭୁ? କାହାର ମାଲିକ? ତୁମେ କହିଲ ଦେଖି ତୁମେ ତୁମ ଇଚ୍ଛାର ମାଲିକ ହୋଇପାରିଛ କି? ଯଦି ହୋଇପାରିଛ ତେବେ କେବଳ ଆଜିକାର ଏଇ ଗୋଟିଏ ରାତି ଆସ ମୋ ସହିତ ମୋର ଏ ଚାଳ ଘରେ ରହିବ।

ସିକନ୍ଦର କ୍ଷଣେ ଭାବିଲେ। ସେ ଭାବିଲେ- ମୁଁ ଜଣେ ସମ୍ରାଟ। ଏଠି ଗୋଟିଏ ରାତି ରହିବି? ଲୋକେ କ’ଣ କହିବେ? ମୋ ସମ୍ମାନ ରହିବଟି?

ଡିଓଜିନସ ତାଙ୍କ ମନ କଥା ବୁଝିପାରିଲେ। ସେ କହିଲେ- ସିକନ୍ଦର ତୁମେ ପାରିବ ନାହିଁ। କାରଣ ତୁମେ ପ୍ରକୃତରେ ମାଲିକ ନୁହେଁ। ତୁମେ ଦାସ। ତୁମେ ତୁମ ରାଜପଦ, ତୁମ ପ୍ରଜାଙ୍କ ଧାରଣାର ଦାସ। ତୁମର ମର୍ଜି ବୋଲି କିଛି ନାହିଁ। ମୋତେ ଦେଖ। ଯାହା ଚାହିଁବି କରିବି। କାରଣ ମୁଁ ହେଉଛି ମୋ ମର୍ଜିର ମାଲିକ। ମୁଁ ଯାହା କରିବି ଏଇ ମାଲିକ ପଣରେ କରିବି।

ସମ୍ବନ୍ଧିତ ଖବର