ଜ୍ଞାନର ଅହଙ୍କାର

କଥାଟିଏ - ଯାଯାବର

ଗୋଟିଏ ଛୋଟ ପିଲା କହିଲା- କାଉର ରଙ୍ଗ ମାଟିଆ। ଏ କଥା ଶୁଣିଲେ ଜଣେ ଜ୍ଞାନୀ ଲୋକ। ସେ କହିଲେ- ଚୋପ୍, କାଉର ରଙ୍ଗ କଳା। ପିଲାଟି କହିଲା- ନା, ମାଟିଆ। ଜ୍ଞାନୀ କହିଲେ- ନା‌ କଳା। ଏମିତି ଚାଲିଲା ଯୁକ୍ତିତର୍କ। ଶେଷରେ ଜ୍ଞାନୀ ପିଲାଟିର ହାତକୁ ଧରି କହିଲେ- ଚାଲ ଯିବା ମୁଲ୍ଲା ନସିରୁଦ୍ଦିନଙ୍କ ପାଖକୁ। ସେ ଭଲ ବିଚାରକ । ସେ କହିବେ କିଏ ଠିକ୍ କିଏ ଭୁଲ। ଆଉ ଦେଖ ତୁ ଯଦି ଭୁଲ ବୋଲି ସେ କହିବେ ତେବେ ତୋ ପିଠିରେ ଦୁଇ ପାହାର ଦିଆଯାଉ ବୋଲି ମୁଁ ତାଙ୍କୁ ନିବେଦନ କରିବି। ପିଲାଟି ବି ଥିଲା ନଛୋଡ଼ବନ୍ଦା। ସେ କହିଲା-ଚାଲୁନ!

ଦୁହେଁ ମୁଲ୍ଲା ନସିରୁଦ୍ଦିନଙ୍କ ଅଦାଲତରେ ପହଞ୍ଚିଲେ। ଜ୍ଞାନୀ ମହାଶୟ ସବୁ କଥା କହିଲେ ଏବଂ ଶେଷରେ ନିବେଦନ କରି ଜଣାଇଲେ- ଧର୍ମାବତାର, ଏ ପିଲା ଭୁଲ କଥା କହି ସେଥିରେ ଅଟଳ ରହୁଛି। ତେଣୁ ଆପଣ କେବଳ ଠିକ କଥାଟି କ’ଣ ତାହା କହିଦେଲେ ହେବନାହିଁ। ତା ପିଠିରେ ବି ଦୁଇ ପାହାର ଦେବା ଲାଗି ଆଦେଶ ଦେବାକୁ ହେବ।
ମୁଲ୍ଲା ସଙ୍ଗେସଙ୍ଗେ କହିଲେ- ପ୍ରଥମେ ଏ ଜ୍ଞାନୀ ମହାଶୟଙ୍କ ପିଠିରେ ଦୁଇ ପାହାର ଦିଅ।

ଜ୍ଞାନୀ ଆକାଶରୁ ଗଳି ପଡ଼ିଲେ। ସେ କହିଲେ- ମୁଲ୍ଲା ଆପଣ ବି!

ମୁଲ୍ଲା କହିଲେ- ମହାଶୟ, କାଉ କଳା ନା ମାଟିଆ ସେଇ ତର୍କରେ ଆପଣ ହାରିଲେ ବୋଲି ପାହାର ଖାଉ ନାହାନ୍ତି। ଆପଣଙ୍କ ଭଳି ଜଣେ ଜ୍ଞାନୀ ଗୋଟିଏ ଛୋଟ ପିଲା ସହ ଏକ ଫାଲ୍‌ତୁ ପ୍ରସଙ୍ଗରେ ତର୍କ କରି ସମୟ ନଷ୍ଟ କରି ପୁଣି ଶେଷରେ ଏହାର ବିଚାର ଲାଗି ମୋ ପାଖକୁ ଆସିଥିବାରୁ ଏ ପାହାର ଖାଇବାକୁ ଯାଉଛନ୍ତି। ଆପଣଙ୍କ ଜ୍ଞାନର ଅହଙ୍କାର ଆପଣଙ୍କୁ ନିର୍ବୋଧତୁଲ୍ୟ ଆଚରଣ କରିବାକୁ ବାଧ୍ୟ କରିଛି।

ସମ୍ବନ୍ଧିତ ଖବର

Comments are closed.