ମୁଲ୍ଲାଙ୍କ ଆଦର୍ଶ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ସାମ୍ୟବାଦୀ ଆଦର୍ଶରେ ବନ୍ଧା ହୋଇଗଲେ। ଏ କଥା ଶୁଣି ଦିନେ ମୁଲ୍ଲାଙ୍କ ଜଣେ ବନ୍ଧୁ ତାଙ୍କୁ ପଚାରିଲେ- ଶୁଣୁଛି ଯେ ତୁମେ ସାମ୍ୟବାଦୀ ହୋଇଯାଇଛ?

ମୁଲ୍ଲା କହିଲେ- ଠିକ ଶୁଣିଛ।

ବନ୍ଧୁ କହିଲେ- ତା’ ମାନେ ଧର ତୁମ ପାଖରେ ଦୁଇଟି ମଟର ଗାଡ଼ି ଅଛି। ତୁମେ ସେଥିରୁ ଗୋଟିଏ ଯାହା ପାଖରେ ଗାଡ଼ି ନାହିଁ ତାକୁ ଦେଇ ପାରିବ?

ମୁଲ୍ଲା କହିଲେ- ପଚାରିବାର ଅଛି? ନିଶ୍ଚିତ ଭାବେ ଦେଇ ଦେବି।

କୃପଣ ମୁଲ୍ଲାଙ୍କ ଏଭଳି ହାବଭାବ ଦେଖି ବନ୍ଧୁ ଜଣକ ପଚାରିଲେ- ଠିକ୍ ଅଛି। ଧର ତୁମର ଦୁଇଟି ବଡ଼ କୋଠା ଅଛି, ସେଥିରୁ ବି ଗୋଟିଏ କ’ଣ ତୁମେ ଜଣେ ଗରିବ ଯାହା ପାଖରେ ଘର ନାହିଁ, ତାକୁ ଦେଇଦେବ?

ମୁଲ୍ଲା କହିଲେ- ତୁମର ସନ୍ଦେହ ହେଉଛି? ଅଲବତ ଦେଇ ଦେବି।

ବନ୍ଧୁ କହିଲେ- ଆଚ୍ଛା? ଯଦି ତୁମ ପାଖରେ ଥିବା ଦୁଇଟି ଗଧରୁ ଗୋଟିକୁ ଆଉ ଜଣେ ଲୋକକୁ ଦେବାକୁ କୁହାଯାଏ ତେବେ?

ମୁଲ୍ଲା କହିଲେ- କଦାପି ଦେବି ନାହିଁ।

ବନ୍ଧୁ ପଚାରିଲେ- କି ଆଶ୍ଚର୍ଯ୍ୟ। ଗାଡ଼ି ଓ ଘର ଭଳି ଦାମୀ ଜିନିଷ ଦେଇ ଦେବ ଅଥଚ ଗଧଟିଏ ଦେବ ନାହିଁ? ଏହାର ଅର୍ଥ କ’ଣ?

ମୁଲ୍ଲା କହିଲେ- ମୋ ପାଖରେ ଗାଡ଼ି କି ଘର ନାହିଁ। ତେଣୁ ସେଥିରୁ କାହାକୁ କିଛି ଦେଇ ଦେବାରେ ଆପତ୍ତି ନାହିଁ। କିନ୍ତୁ ମୋ ପାଖରେ ତ ସର୍ବମୋଟ ମାତ୍ର ଯୋଡ଼ିଏ ଗଧ। ସେଥିରୁ ଗୋଟିଏ ଦେଇ ଦେଲେ ମୁଁ ଚଳିବି କେମିତି?

ସମ୍ବନ୍ଧିତ ଖବର