ଶେଷ ଆଘାତ

କଥାଟିଏ - ଯାଯାବର

ଗୋଟିଏ ରାଜ୍ୟରେ ଜଣେ ଦୁର୍ଦ୍ଦାନ୍ତ ଦସ୍ୟୁ ଗୋଟିଏ ଦଳ ଗଠନ କରି ଲୁଟତରାଜ, ହଣାମରା ଚଳାଇଲା। ତାର ଉତ୍ପାତରେ ଅତିଷ୍ଠ ହୋଇ ତାକୁ ଦମନ କରିବା ଲାଗି ରାଜା ଯୁବରାଜଙ୍କୁ ପଠାଇଲେ। ଯୁବରାଜ ଥିଲେ ଭଦ୍ର, ମାର୍ଜିତ ଏବ˚ ସମସ୍ତ ସୁଗୁଣ ସ˚ପନ୍ନ। ତା ସହିତ ସେ ମଧୢ ଥିଲେ ଜଣେ ଅତ୍ୟନ୍ତ ବିଚକ୍ଷଣ ଯୋଦ୍ଧା। ଯୁବରାଜ କିଛି ସୈନିକଙ୍କ ସହିତ ତାକୁ କାବୁ କରିବାକୁ ବାହାରି ଗଲେ। କିନ୍ତୁ ଯୁବରାଜ ଦେଖିଲେ ଯେ ଦସ୍ୟୁ ଦଳଟି ବେଶ୍‌ ଦୁର୍ଦ୍ଧର୍ଷ। ଯୁଦ୍ଧ କରି ତାକୁ ଦମନ କଲେ ଅନେକ ସୈନିକ ହତାହତ ହେବେ। ତେଣୁ ସେ ଏକ ପ୍ରସ୍ତାବ ଦେଲେ ଯେ ସେ କେବଳ ଦସ୍ୟୁ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହେବେ। ତାଙ୍କ ଉଦ୍ଦେଶ୍ୟ ଥିଲା ଦସ୍ୟୁକୁ ଯୁଦ୍ଧରେ ପରାସ୍ତ କରି ତାକୁ ଅଧୀନସ୍ଥ କରିବା। ଦସ୍ୟୁ ମଧୢ ଥିଲା ଶସ୍ତ୍ର ଚାଳନାରେ ଧୁରନ୍ଧର। ତେଣୁ ଦୁହିଁଙ୍କ ଭିତରେ ଚାଲିଲା ଘମାଘୋଟ ଯୁଦ୍ଧ। ଏ ଯୁଦ୍ଧ ଶେଷ ନିଃଶ୍ବାସ ଥିବା ଯାଏଁ ଚାଲିବ ବୋଲି କଥା ଥିଲା। ଉଭୟେ ପରସ୍ପରର ଅସ୍ତ୍ରାଘାତରେ ଲହୁଲୁହାଣ ହେଲେ। ତେବେ କେହି କାହାରିକୁ ଛାଡ଼ି ଦେବା ପକ୍ଷରେ ନ ଥିଲେ। ଶେଷରେ କିନ୍ତୁ ଦସ୍ୟୁ ପରାଜିତ ହେଲା।

ଏଥିରେ ଉତ୍ସାହିତ ସୈନ୍ୟମାନେ ଏକ ସ୍ବରରେ ଚିତ୍କାର କଲେ- ଯୁବରାଜ, ତାକୁ ବଞ୍ଚିବାକୁ ଦିଅନ୍ତୁ ନାହିଁ। ତାକୁ ଶେଷ ଆଘାତ ଦିଅନ୍ତୁ। ଯୁବରାଜ କିଛି କ୍ଷଣ ମାତ୍ର ଛିଡ଼ା ହେଲେ। କିନ୍ତୁ ତା’ ପରେ ସେ ଉଠାଇ ଥିବା ତରବାରିକୁ ହାତରୁ ଖସାଇ ଦେଲେ ଏବ˚ ସେ ଦୁଇ ହାତ ପ୍ରସାରିତ ହେଲା ଦସ୍ୟୁକୁ ଆଲିଙ୍ଗନ କରିବା ଲାଗି। ଦସ୍ୟୁ ବିଶ୍ବାସ କରି ପାରିଲା ନାହିଁ। ତାର ପ୍ରାଣ ତ ବଞ୍ଚିଗଲା। ତେବେ ଯୁବରାଜଙ୍କ ସହିତ ଆଲିଙ୍ଗନାବଦ୍ଧ ହୋଇଥିବା ବେଳେ ସେ ଶୁଣିଲା ଯୁବରାଜ କହୁଛନ୍ତି- ଏଭଳି ସାହସ ଓ ବୀରତ୍ବ ଥାଇ ତୁମେ ଦସ୍ୟୁ ବୃତ୍ତି କରୁଛ କାହିଁକି?

ସେଇ କ୍ଷଣି ଦସ୍ୟୁର ହୃଦୟ ବଦଳିଗଲା। ସେ ତାର ଅବଶିଷ୍ଟ ଜୀବନ ଯୁବରାଜଙ୍କ ସେବାରେ କଟାଇ ଦେଲା। ଯୁବରାଜଙ୍କ ଶେଷ ଆଘାତ ଥିଲା କ୍ଷମା ଯେଉଁଥିରେ ଦସ୍ୟୁ ଭିତରେ ଥିବା ଦସ୍ୟୁର ମୃତ୍ୟୁ ହେଲା।

ସମ୍ବନ୍ଧିତ ଖବର

Comments are closed.