ଗୁରୁ ତାଙ୍କର ଶିଷ୍ୟମାନଙ୍କୁ ଏଇ କଥାଟି କହୁଥିଲେ।
ଦୁଇ ଜଣ ସାଙ୍ଗ ଥିଲେ। ଜଣେ ବହୁତ ଡେଙ୍ଗା ତ ଆର ଜଣକ ବାମନ, ଡେଙ୍ଗା ଯୁବକର ଆଣ୍ଠୁ ପର୍ଯ୍ୟନ୍ତ ଉଚ୍ଚା। ସେ ଦୁହିଁଙ୍କର ଭାଗ୍ୟ ଭଲ ନ ଥିବାରୁ ସେମାନେ ଭାରି ମନ ଦୁଃଖରେ ଚଳୁଥିଲେ। ଦିନେ ସେମାନେ ଭଗବାନଙ୍କ ଦର୍ଶନ ପାଇଲେ। ଭଗବାନଙ୍କୁ ଭାଗ୍ୟ ମାଗିବାରୁ ଭଗବାନ କହିଲେ ଠିକ୍ ଅଛି ତୁମକୁ ଭାଗ୍ୟ ଦେବି। ମୋ ପାଖରେ ଦୁଇଟି ବାକ୍ସ ଅଛି, ଯେଉଁଥିରେ ଭାଗ୍ୟ ଭରି ହୋଇ ରହିଛି। ଏହା ଶୁଣି ଡେଙ୍ଗା ଯୁବକ କହିଲା- ପ୍ରଭୁ ମୋ ସାଙ୍ଗ ଉଚ୍ଚତାରେ ଛୋଟ ବୋଲି ପାତରଅନ୍ତର ନ କରି ଦୁହିଁଙ୍କୁ ଏକା ସାଇଜର ବାକ୍ସ ଦେବେ। ସମସ୍ତଙ୍କ ଲାଗି ସମାନ ବିଚାର କରିବେ। ଭଗବାନ କହିଲେ- ମୁଁ ପରା ଭଗବାନ। ସମାନ ବିଚାର ନିଶ୍ଚିତ କରାଯିବ।
ଏହା କହି ଭଗବାନ ଉଭେଇ ଗଲେ ଏବ˚ ଦୁଇଟି ବିଶାଳ ବାକ୍ସ ପହଞ୍ଚିଗଲା। ଦୁଇଟି ଯାକ ବାକ୍ସର ଆକାର ସମାନ ଥିଲା, କିନ୍ତୁ ସେ ଦୁଇଟି ବେଶ୍ ଉଚ୍ଚା ହୋଇଥିବାରୁ ଡେଙ୍ଗା ଯୁବକଟି କୌଣସିମତେ ତାହା ଖୋଲିପାରିଲା, କିନ୍ତୁ ତା ସାଙ୍ଗ ସେ ଉଚ୍ଚତାକୁ ପହଞ୍ଚି ପାରିଲା ନାହିଁ।
ଏଥର ଡେଙ୍ଗା ଯୁବକ ଭଗବାନଙ୍କୁ ପ୍ରାର୍ଥନା କଲା। ଭଗବାନ ଆସିଲେ। ଭଗବାନ କହିଲେ-ସମାନ ବିଚାର ତ କଲି, ସମାନ ଆକାରର ବାକ୍ସ ତ ଦେଲି। ପୁଣି କ’ଣ ହେଲା? ଡେଙ୍ଗା ଯୁବକ କହିଲା- ପ୍ରଭୁ ମୁଁ ନିବୋର୍ଧ। ଭୁଲ କଥାଟି କହିଦେଲି। ଆପଣ ସମାନ ବିଚାର ନୁହେଁ, ସମାନତାର ବିଚାର କରନ୍ତୁ। ଭଗବାନ ଏହା ଶୁଣି କହିଲେ- ତାହା କହୁନୁ କାହିଁକି? ଏହା କହି ଭଗବାନ ଉଭେଇ ଗଲେ। ସାଙ୍ଗେସାଙ୍ଗେ ଗୋଟିଏ ଷ୍ଟୁଲ ପହଞ୍ଚିଗଲା। ଏବେ ବାଙ୍ଗରା ଯୁବକ ଷ୍ଟୁଲ ଉପରେ ଚଢ଼ି ଭାଗ୍ୟର ବାକ୍ସକୁ ଖୋଲିପାରିଲା।