ୟାସିମୋଟୋ ଓ କାତାହାରି

କଥାଟିଏ - ଯାଯାବର

ପ୍ରସିଦ୍ଧ ସମୁରାଇ ଯୋଦ୍ଧା ୟାସିମୋଟୋ ତାଙ୍କ ଅନ୍ତିମ କାଳରେ କିଛି ଅନୁଗାମୀଙ୍କୁ କହିଲେ- ଚାଲ, ଟିକିଏ କାତାହାରିଙ୍କ ଘରକୁ ଯିବା। ଅନୁଗାମୀମାନେ ବିସ୍ମିତ ହେଲେ। କାତାହାରି ଥିଲେ ୟାସିମୋଟୋଙ୍କ ସବୁଠାରୁ ବଡ଼ ଶତ୍ରୁ। ଦୁହେଁ ଅନେକ ଥର ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। କେହି କେବେ ବି କାହାକୁ ହରାଇ ପାରି ନ ଥିଲେ ସିନା, ସେମାନଙ୍କ ଶରୀର ସେଇ ସବୁ ଯୁଦ୍ଧର ଗଭୀର କ୍ଷତ ଚିହ୍ନରେ ଭରି ରହିଥିଲା।

ବାଟରେ ୟାସିମୋଟୋ କହିଲେ- ତୁମେମାନେ ଯଦି ଭୟ କରୁଛ, ଏଠି ରହିଯାଅ। ମୁଁ ଏକୁଟିଆ ଯିବି। ମୋର ତାଙ୍କୁ ଗୋଟିଏ କଥା କହିବାର ଅଛି। ତାହା ନ କହିଲେ ମୁଁ ଶାନ୍ତିରେ ମରିପାରିବି ନାହିଁ।

କାତାହାରି ବି ବୃଦ୍ଧ ହୋଇଯାଇଥିଲେ। କିନ୍ତୁ ୟାସିମୋଟୋଙ୍କ ଭଳି ତାଙ୍କ ଚମକ ଉଜ୍ଜ୍ବଳ ଥିଲା। ୟାସିମୋଟୋ କାତାହାରିଙ୍କ ଘର ଆଗରେ ପହଞ୍ଚି ଡାକିବା ମାତ୍ରକେ ଏକ ଖଡ୍‌ଗ ଆକାଶମାର୍ଗରେ ଉଡ଼ି ଆସି ତାଙ୍କୁ ବିଦ୍ଧ କରିବାକୁ ବସିଲା। କିନ୍ତୁ ୟାସିମୋଟୋ ବିଜୁଳି ବେଗରେ ନଇଁ ଯାଇ ବର୍ତ୍ତିଗଲେ।

ଏଥର କାତାହାରି ବାହାରକୁ ବାହାରି ଆସିଲେ ଏବ˚ କହିଲେ- ମୋ ଘରକୁ ତୁମେ କେଉଁ ସାହସରେ ଆସିଛ? ପୁଣି ନିରସ୍ତ୍ର ହୋଇ?

ୟାସିମୋଟୋ କହିଲେ- ବନ୍ଧୁ ଘରକୁ ଆସିବାକୁ ହେଲେ ସାହସ ଓ ଶସ୍ତ୍ର; କାହାରି ଆବଶ୍ୟକତା ନାହିଁ। ମୋ ଜୀବନର ଶେଷ ବେଳାରେ ମୁଁ ତୁମକୁ କୃତଜ୍ଞତା ଜଣାଇବାକୁ ଆସିଛି। ମୁଁ ମିତ୍ରମାନଙ୍କୁ କୃତଜ୍ଞତା ଜଣାଇବି ନାହିଁ କାରଣ ସେମାନଙ୍କ ପ୍ରଶ˚ସା ମୋ ମନରେ ଅହ˚ ଭରିଦେଇଛି। ମୋ ନିଜ ବିଷୟରେ ଭ୍ରାନ୍ତିି ଜନ୍ମାଇଛି। ମୁଁ ଯାହା ନୁହେ, ତାହା ବୋଲି ବିଚାର କରିଛି। କିନ୍ତୁ ତୁମେ ମୋତେ ଆଜୀବନ ଯୋଦ୍ଧାଟିଏ ହୋଇ ରହିବା ଲାଗି ଯାହା ଦରକାର ତାହା କରିଛ। ମୋ ଦୁର୍ବଳତା ବିଷୟରେ ବାରମ୍ବାର ସଚେତନ କରିଦେଇଛ। ତୁମେ ହିଁ ମୋର ବିକାଶ ଲାଗି ଦାୟୀ। କାତାହାରି ଓ ୟାସିମୋଟୋ ବନ୍ଧୁ ଭଳି କୋଳାକୋଳି ହେଲେ।

ସମ୍ବନ୍ଧିତ ଖବର

Comments are closed.