ଦୋଷ ଓ ଦଣ୍ତ

କଥାଟିଏ - ଯାଯାବର

କୌଣସି ଏକ ଗୁରୁତର ଅପରାଧ ଘଟାଇ ଯୁବକଟି ନିଶାର୍ଧରେ ସହର ଛାଡ଼ି ଚାଲିଗଲା। ନା ପୁଲିସ୍‌ ନା ତାର ପରିବାର କେହି ହେଲେ ବି ତାର କୌଣସି ଟେର‌୍‌ ପାଇଲେ ନାହିଁ। ଅନେକ ଖୋଜା ଖୋଜି ପରେ ବି ତାର କୌଣସି ପତ୍ତା ମିଳିଲା ନାହିଁ। ଏଭଳି ଘଟନାରେ ତା ପରିବାର ଭାଙ୍ଗି ପଡ଼ିଲା।

ତା’ପରେ ଅନେକ ବର୍ଷ ବିତିଗଲା। ହଠାତ୍‌ ଦିନେ ଯୁବକର ବଡ଼ ଭାଇ ପାଇଲେ ଏକ ଚିଠି। ହାତ ଲେଖା ମାତ୍ର ଅଳ୍ପ କେଇ ଧାଡ଼ି। ତାହା ଆସିଥିଲା ମୁମ୍ବାଇରୁ। ଚିଠିରେ ସେଇ ଯୁବକଟି ଲେଖିଥିଲା ଯେ ସେ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ। ସେ ନିଜ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ଚାହେଁ। ଇତି ମଧୢରେ ଯୁବକଟିର ବାପା ଚାଲିଯାଇଥିଲେ। ଦୁଃଖ ଓ ବୟସାଧିକ୍ୟ ହେତୁ ମା’ ଶଯ୍ୟାଶାୟୀ ହୋଇ ଯାଇଥିଲେ। ତେଣୁ ତା ବଡ଼ ଭାଇ ଚିଠିଟି ଧରି ମୁମ୍ବାଇ ଗଲେ ଏବ˚ ଚିଠିରେ ଥିବା ଠିକଣାରେ ପହଞ୍ଚିଲେ। ସେ ବିଶ୍ବାସ କରି ପାରିଲେ ନାହିଁ ଯେ ଏଭଳି ପୂତିଗନ୍ଧମୟ ପରିବେଶରେ ତାଙ୍କ ସାନ ଭାଇ ରହୁଥିବ। ଏକ ବସ୍ତିର ଗୋଟିଏ ଜରି ଛପର ଘରେ ସେ ପଡ଼ି ରହିଥିଲା। ଭାଇଙ୍କୁ ଦେଖି ସେ କାନ୍ଦି ପକାଇଲା ଓ ଧୀରେ ପଚାରିଲା- ପୁଲିସ ଜାଣି ନାହିଁ ତ?

ଅପରାଧଟି ଘଟାଇ ସାରିବା ପରେ ପୁଲିସ ହାତରୁ ବଞ୍ଚିବା ଲାଗି ଲୁଚିଲୁଚି ଏତେ ବର୍ଷ କାଳ ବୁଲିବା ପରେ ସେ କ୍ଳାନ୍ତ, ଶ୍ରାନ୍ତ ଓ ବ୍ୟାଧିଗ୍ରସ୍ତ ହୋଇଯାଇଥିଲା।

ଏତେ ସବୁ ସହିଲୁ, ଘରକୁ ଚାଲି ଆସିଲୁ ନାହିଁ? ଭାଇ ପ୍ରଶ୍ନ କଲେ।

କେମିତି ଆସିଥା’ନ୍ତି? ପୁଲିସ୍‌ ଧରିଥା’ନ୍ତା। ଜେଲ୍‌ରେ ରହିଥା’ନ୍ତି।

ଏବେ ଆଉ କମ୍‌ ଦଣ୍ତ ପାଇଛୁ କି? ଭାଇ ପ୍ରଶ୍ନ କଲେ।

କିନ୍ତୁ ତାର କିଛି ଉତ୍ତର ନ ଥିଲା।

ସମ୍ବନ୍ଧିତ ଖବର