ରାଜପୁତ୍ରଙ୍କ ବିଚାର

କଥାଟିଏ - ଯାଯାବର

ଥରେ ତରୁଣ ରାଜପୁତ୍ର ସାଙ୍ଗମାନଙ୍କ ସହ ଗମାତ କରୁଥିବା ବେଳେ ଜଣେ ଚାଷୀଙ୍କ ବଗିଚାରେ ପଶି ସବୁ କିଛି ନଷ୍ଟଭ୍ରଷ୍ଟ କରିଦେଲେ। ଚାଷୀ ଜଣକ ଦୁଃଖରେ ଭାଙ୍ଗିପଡ଼ିଲେ। ତାଙ୍କର ଅନେକ ଦିନର ପରିଶ୍ରମ ନଷ୍ଟ ହୋଇଗଲା। ନଷ୍ଟଭ୍ରଷ୍ଟ କରିଥିବା ଦଳରେ ଖୋଦ୍‌ ରାଜପୁତ୍ର ଥିବାରୁ ରାଜା ଯେ, ତାଙ୍କ ଅଭିଯୋଗ ଶୁଣିବେନାହିଁ, ସେ ମନେ ମନେ ଭାବିନେଲେ। ଚାଷୀଙ୍କ ପତ୍ନୀ କିନ୍ତୁ କହିଲେ- ତୁମେ ରାଜାଙ୍କ ପାଖରେ ଅଭିଯୋଗ କର। କାରଣ ଏହା କୌଣସି ଛୋଟ କଥା ନୁହେଁ, ଯେହେତୁ ଏଥିରେ ରାଜପୁତ୍ର ସମ୍ପୃକ୍ତ। ଏହା ରାଜାଙ୍କ ନ୍ୟାୟ ବିଚାରର ଏକ ପରୀକ୍ଷା ହେବ। ଚାଷୀ ରାଜାଙ୍କ ନିକଟରେ ଅଭିଯୋଗ କଲେ।

ରାଜା ସବୁ କଥା ଶୁଣି ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ରାଜକୁମାର ଓ ତାଙ୍କ ସାଙ୍ଗମାନଙ୍କୁ ବଗିଚା କାମରେ ଲଗାଇଲେ। କାମ ବେଶ୍‌ କଠିନ ଥିଲା। ବଗିଚା ସଜାଡ଼ିବା କାଠିକର ପାଠ ଥିଲା। ବନ୍ଧୁମାନଙ୍କ ସହ ରାଜପୁତ୍ର ସକାଳୁ ସନ୍ଧ୍ୟା ଯାଏ କାମ କରିବାକୁ ଲାଗିଲେ। ଏହା ରାଣୀଙ୍କୁ ଅସହ୍ୟ ହେଲା। ସେ ରାଜାଙ୍କୁ କହିଲେ- ଏ କି ବିଚାର କଲେ? ପୁଅର ଅବସ୍ଥା ଦେଖୁଛନ୍ତି?

ରାଜା କହିଲେ- ମୁଁ ସବୁ ବୁଝୁଛି। ହେଲେ ଏମିତି ବିଚାର ପଛରେ ଦୁଇଟି କାରଣ। ପ୍ରଥମତଃ, ନ୍ୟାୟ ବିଚାର ପ୍ରକୃତରେ କ’ଣ ରାଜପୁତ୍ର ହୃଦୟଙ୍ଗମ କରିବେ। ଦ୍ବିତୀୟତଃ, ସେ ଏଥିରୁ ଯେଉଁ ଅନୁଭୂତି ଲାଭ କରିବେ ତାହା ତାଙ୍କୁ ଆଉ ସମବେଦନାଶୂନ୍ୟ କରିବ ନାହିଁ। ଚାଷୀଙ୍କ ଜମି ସଜାଡ଼ିବା ବେଳେ ସେ ନିଜକୁ ଗଢ଼ିବେ।

ସମ୍ବନ୍ଧିତ ଖବର