ସୁଖର ସାଧନ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଖବର ପାଇଲେ ଯେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ସାଧୁ ମହାତ୍ମା ଏକ ନିର୍ଦ୍ଦିଷ୍ଟ ତିଥିରେ ବର ଦିଅନ୍ତି। ଜଣେ ଯାହା ମାଗେ ତାହା ପାଏ। ଏକଦା ସେ ପାହାଡ଼ ଚଢ଼ି ସାଧୁଙ୍କ ପାଖରେ ପହଞ୍ଚିଲେ। ସାଧୁ ପଚାରିଲେ- ତୁମେ କ’ଣ ଚାହଁ?

ସେ କହିଲା- ଆଜ୍ଞା ସୁଖ।

ସାଧୁ କହିଲେ- ବାବୁ, ସେଥି ଲାଗି ମୋ ପାଖରେ ଦୁଇଟି ଚିଜ ଅଛି। ଧନ ଓ ମନ। ତୁମେ କ’ଣ ଚାହଁ?

ସେ କହିଲା- ମହାତ୍ମା, ସୁଖ ଲାଗି ଆଉ କ’ଣ ଲୋଡ଼ା କି? ଧନ ଦିଅନ୍ତୁ।

ସାଧୁ କହିଲେ- ତଥାସ୍ତୁ।

ସେ ଘରକୁ ଫେରିଲା। ଘରେ ସେ ଯାହା ଦେଖିଲା ତାକୁ ବିଶ୍ବାସ କରିପାରିଲା ନାହିଁ। ସେ ଅଚଳାଚଳ ସ˚ପତ୍ତିର ମାଲିକ ହୋଇଯାଇଥିଲା।

କିଛି ବର୍ଷ ଗଲା। ସେହି ସମାନ ତିଥିରେ ସେ ପୁଣି ପାହାଡ଼ ଚଢ଼ି ସାଧୁଙ୍କ ପାଖରେ ପହଞ୍ଚି କହିଲା- ମହାତ୍ମା, କିଛି ଲାଭ ହେଲା ନାହିଁ। ଧନ ତ ମିଳିଲା, କିନ୍ତୁ ସୁଖ ମିଳିଲା ନାହିଁ। ସର୍ବଦା ମନରେ ଭୟ ଲାଗି ରହିଲା। ଚୋର ତସ୍କରମାନେ ପଛରେ ଲାଗିଲେ। ପିଲାମାନେ ଅମଣିଷ ହେଲେଣି। ଏବେ ଏହାକୁ ଫେରାଇ ନିଅନ୍ତୁ।

ସାଧୁ କହିଲେ- ତେବେ ବାବା, ମନକୁ ନେଇ ଦେଖ। ସୁଖ ମିଳିପାରେ।

ସେ ଲୋକ ମନ ନେଇ ଫେରିଲା। ସବୁ କିଛି ପୂର୍ବ ଭଳି ହୋଇଯାଇଥିଲା। କିନ୍ତୁ ତାର ମନ ବଦଳି ଯାଇଥିଲା। ଏବେ ତା’ ମନରେ କୌଣସି ଆସକ୍ତି ନ ଥିଲା। ସେ ବିଶାଳମନା ହୋଇଯାଇଥିଲା। ନିଜର ଖାଇବାକୁ ନ ଥିଲେ ବି ଅନ୍ୟକୁ ଦେବା ଲାଗି ମନଟିଏ ସେ ପାଇପାରିଥିଲା। ଏବେ ସେ ଦେଖିଲା ମନରେ ସୁଖ ଭରିଯାଉଛି। ବିଜନ ରାତିରେ ଖୋଲା ଆକାଶ ତଳେ ଏକୁଟିଆ ଥିଲା ବେଳେ ବି ଗୀତ ଗୁଣୁଗୁଣେଇ ପାରୁଛି।

ସମ୍ବନ୍ଧିତ ଖବର