ଭକ୍ତ ହେବାର ବିପଦ

କଥାଟିଏ - ଯାଯାବର

ଜଣେ ସାଧୁ ଥିଲେ। ଥରେ ଜଣେ ଯୁବକ ତାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା- ମହାତ୍ମା, ମୁଁ ଆପଣଙ୍କ ଜଣେ ଭକ୍ତ। ମୋତେ ଆପଣ ଆଶୀର୍ବାଦ କରନ୍ତୁ।

ସାଧୁ କହିଲେ- ଆରେ ବାବୁ, ତୁମେ ଯାହା କହିଲ ଶୁଣିବାକୁ ତ ଭଲ ଲାଗୁଛି କିନ୍ତୁ ପ୍ରକୃତରେ ତାହା ଭଲ କଥା ନୁହେଁ। କାରଣ ତୁମେ ଏ ଭିତରେ ବେଶ୍‌ ବିପଜ୍ଜନକ ହୋଇଯାଇଛ। ତେଣୁ, ବାବା ଏଇଠାରୁ ଏବେ ଫେରିଯାଅ।

ଯୁବକର ମନ ଖଟା ହୋଇଗଲା। ସେ ମନେ ମନେ ଭାବିଲା- ସାଧୁ ତ ଏଥିରେ ଖୁସି ହେବାର କଥା, କିନ୍ତୁ କାହିଁକି ଏଭଳି ପ୍ରତିକ୍ରିୟା ପ୍ରକାଶ କଲେ?

ଯୁବକ ଏମିତି ଭାବୁଥିବା ବେଳେ ଘଟିଲା ଅଘଟଣଟିଏ। ଜଣେ ମଦ୍ୟପ ସାଧୁଙ୍କ ଘର ସାମ୍‌ନାରେ ଯାଉଥିବା ବେଳେ ତାଙ୍କ ଉପରେ ଗୁଡ଼ାଏ ଗାଳି ବର୍ଷଣ କଲା। ସନ୍ଥ କିଛି କହିବା ଆଗରୁ ଯୁବକଟି ବିଜୁଳି ପରି ସେଠାକୁ ଛୁଟି ଯାଇ ମଦ୍ୟପର ଗଳାକୁ ଧରି ଧକ୍କାଟିଏ ଦେଇ ଉତ୍ତମ ମଧୢମ ଚଢ଼ାଇ ଦେଲା। ସାଧୁ ଦୌଡ଼ି ଆସି ହାଁ ହାଁ କରି ତାକୁ ଅଟକାଇ ଦେଲେ ଏବ˚ ମଦ୍ୟପକୁ ଉଠାଇ ଘରକୁ ପଠାଇ ଦେଲେ।

ତା’ ପରେ ସାଧୁ କହିଲେ- ମୁଁ କହୁ ନ ଥିଲି ତୁମେ ବେଶ୍‌ ବିପଜ୍ଜନକ ହୋଇଯାଇଛ ବୋଲି? ଏବେ ତାର ପ୍ରମାଣ ପାଇଲ ତ? ମୁଁ ମୋ ଜୀବନରେ କେବେ ବି ହି˚ସାଚାର କରିନାହିଁ। କାହା ଉପରେ ହାତ ଉଠାଇବା ତ ଦୂରର କଥା, ଗାଳିମନ୍ଦ କରିନାହିଁ। କିନ୍ତୁ ତୁମେ କ’ଣ କଲ ଦେଖିଲ ତ? ତେଣୁ ମୁଁ ଭାବେ ଭକ୍ତ ହେବା ବିପଜ୍ଜନକ। କାରଣ ଭଗବାନ ଯାହା କେବେ କରି ନାହାନ୍ତି ବା କହି ନାହାନ୍ତି, ଭକ୍ତମାନେ ତାଙ୍କ ନାମ ଦେଇ ତାହା ତାହା କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର

Comments are closed.