ଜଣେ ଫକିର ଗୋଟିଏ ସହର ଭିତର ଦେଇ ଯାଉଥିବା ବେଳେ ଅଚାନକ ଗୋଟିଏ ଜନ ପଟୁଆର ଆସି ତାଙ୍କୁ ଘେରିଗଲା। ଫକିର ଜଣକ କିଛି କରିପାରିବା ପୂର୍ବରୁ ତାଙ୍କୁ ରାଜପଦରେ ବରଣ କରିଦିଆଗଲା।
ଫକିର ପଚାରିଲେ- ୟେ କ’ଣ?
ଲୋକେ କହିଲେ- ଏହା ଆମ ରାଜ୍ୟର ନିୟମ। ଅମକ ଦିନ ଅମକ ସମୟରେ ଅମକ ସ୍ଥାନରେ ଯିଏ ପ୍ରଥମେ ଦେଖାଦେବ, ସେ ଆମର ରାଜା ହେବ। ଆପଣ ସେହି ସ୍ଥାନରେ ପ୍ରଥମେ ପହଞ୍ଚିଲେ। ସୁତରା˚, ଆପଣ ଆମର ନୂଆ ରାଜା।
ଫକିର କହିଲେ- ହଉ ହେଲା।
ତା’ ପରେ ତାଙ୍କର ଅଭିଷେକ ହେଲା। ତାଙ୍କ ଖାଦ୍ୟପେୟ ଓ ଶୟନ ଲାଗି ଯେଉଁ ବ୍ୟବସ୍ଥାମାନ ହେଲା, ଫକିର କେବେ କଳ୍ପନାରେ ବି ଭାବି ନ ଥିଲେ ଏତେ ଖାତିର ମିଳିବ। ସେ ଖାଇ ପିଇ ମୁଲାୟମ ଗଦିରେ ଶୋଇଲେ। ବେଳେ ବେଳେ ଅଧା ଶୁଆ ଅବସ୍ଥାରେ ନର୍ତ୍ତକୀମାନଙ୍କ ନାଚ ଦେଖି ଆନନ୍ଦିତ ହେଲେ। ଫକିର ପୂରା ବିଳାସ ବ୍ୟସନରେ ବୁଡ଼ିଗଲେ।
ଏମିତି ଅନେକ ଦିନ ବିତିଗଲା। ହଠାତ୍ ଦିନେ ଦଳେ ଲୋକ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରି କହିଲେ- ଏଠାରୁ ବିଦାୟ ନେବାର ବେଳ ଆସିଲା। ନୂଆ ରାଜା ଆସୁଛନ୍ତି।
ଫକିର ମୁଲାୟମ ଗଦିରେ ଶୋଇ ନାଚ ଦେଖୁଥିଲେ। ଯେମିତି ସେ ଏହା ଶୁଣିଛନ୍ତି ସାଙ୍ଗେ ସାଙ୍ଗେ ସହାସ୍ୟ ବଦନରେ କହିଲେ- ହଉ, ହେଲା ଓ ତା’ ପରେ ତାଙ୍କ ପୁରୁଣା ପୋଷାକ ପିନ୍ଧି ଓ ଥଳିଟି ଧରି ବାହାରି ଚାଲିଗଲେ ସତେ ଯେମିତି ସେ କେବେ ହେଲେ ରାଜା ହୋଇ ନ ଥିଲେ ବା ରାଜଗୃହରେ ଆରାମ କରି ନ ଥିଲେ।