ଡରୁଆ ନସିରୁଦ୍ଦିନ

କଥାଟିଏ - ଯାଯାବର

ଉଜ୍‌ବେକିସ୍ତାନ ଉପରେ ଶତ୍ରୁ ଆକ୍ରମଣ କରିବ ବୋଲି ଖବର ମିଳିଲା। ରାଜାଙ୍କ ଚରମାନେ ଗାଁ ଗାଁ ବୁଲି ସମର୍ଥ ପୁରୁଷମାନଙ୍କୁ ନେଇ ସୈନ୍ୟ ବାହିନୀରେ ମିଶାଇବା ଲାଗି ବୁଲିଲେ। ଏ କଥା ଜାଣିଲେ ମୁଲ୍ଲା ନସିରୁଦ୍ଦିନ। ତେଣୁ ସେ ଗାଁ ଛାଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇ ଲୁଚିଲେ। ରାଜାଙ୍କ ଚରମାନେ ଚାଲିଗଲା ପରେ ମୁଲ୍ଲା ଜଙ୍ଗଲରୁ ଗାଁକୁ ଫେରିଲେ। ଗାଁରେ କେବଳ ବୃଦ୍ଧ ଓ ମହିଳାମାନେ ଥିଲେ ଏବ˚ ସେମାନେ ନସିରୁଦ୍ଦିନଙ୍କୁ ଦେଖି ଭୀରୁ, କାପୁରୁଷ, ଡରୁଆ ବୋଲି କହି ଟାହି ଟାପରା କଲେ। ନସିିରୁଦ୍ଦିନଙ୍କୁ କେହି ପାସଙ୍ଗରେ ପକାଇଲେ ନାହିଁ।

ଦିନକର କଥା। ସ˚ଧୢା ସମୟ। ନସିରୁଦ୍ଦିନ ଘର ବାରଣ୍ତାରେ ବସିଥିଲେ। ତାଙ୍କ ସାନ ପୁଅ ସାମନାରେ ଖେଳୁଥିଲା। ଏଇ ସମୟରେ କାହୁଁ ଥିଲା ଗୋଟିଏ ହେଟା ବାଘ ଝା˚ପ ମାରି ପୁଅକୁ ନେଇ ଜଙ୍ଗଲକୁ ପଳାଇବାକୁ ବସିଲା। ଏହା ଦେଖି ନସିରୁଦ୍ଦିନ କିଳିକିଳା ରଡ଼ି କରି ଏତେ ଜୋରରେ ହେଟା ପଛରେ ଧାଇଁଗଲେ ଯେ ହେଟା ବିଚରା ପୁଅକୁ ଛାଡ଼ି ପ୍ରାଣ ବିକଳରେ ପଳାଇଗଲା। ଏହା ଦେଖି ଲୋକେ ନସିରୁଦ୍ଦିନଙ୍କୁ ତାରିଫ କଲେ। ଜଣେ ପଚାରିଲା- ମୁଲ୍ଲା, ତୁମେ ହେଟାକୁ ଡରାଇ ଦେଲ, ଅଥଚ ରାଜା ଡାକିଲା ବେଳେ ଡରି ଜଙ୍ଗଲରେ ଲୁଚିଲ କାହିଁକି?

ମୁଲ୍ଲା ଏହା ଶୁଣି କହିଲେ- ରାଜା ଯଦି ମୋ ପୁଅ ହୋଇଥାଆନ୍ତା, ତେବେ ଦେଖିଥାଆନ୍ତ ମୁଁ କ’ଣ କରିଥାଆନ୍ତି!

ସମ୍ବନ୍ଧିତ ଖବର

Comments are closed.