କାନପୁରର ଦେଶୀ କୁକୁରଟିଏ ଦିଲ୍ଲୀକୁ ବାହାରିଲା। ସେ ହିସାବ କଲା ଯେ ଏକୋଇଶ ଦିନ ଲାଗିବ। ସେଥିଲାଗି ସେ ତିନି ସପ୍ତାହ ଲାଗି ଖାଇବା ପିଇବା ସାଙ୍ଗରେ ଧରି ବାହାରିଲା। କିନ୍ତୁ ସେ ମାତ୍ର ସାତ ଦିନ ଭିତରେ ଦିଲ୍ଲୀ ପହଞ୍ଚି ଗଲା। ତାକୁ ସ୍ବାଗତ କରିବାକୁ ଅପେକ୍ଷା କରିଥିବା ଦିଲ୍ଲୀ କୁକୁରମାନେ ଚକିତ। ସେମାନେ ପଚାରିଲେ- ଏତେ ଶୀଘ୍ର କେମିତି ପହଞ୍ଚିଲୁ?
ସେ କହିଲା- ଭାଇ, ବନାରସରୁ ଦିଲ୍ଲୀ ଭିତରେ କେତେ ଗାଁ ଓ ସହର। ମୁଁ ଯେଉଁ ଗାଁରେ ପଶିଲି, ସେଇ ଗାଁର କୁକୁରମାନେ ମୋତେ ତଡ଼ିଲେ। ପ୍ରାଣ ବିକଳରେ ଦୌଡ଼ିଲି। ଗୋଟିଏ ପରେ ଆଉ ଗୋଟିଏ ଗାଁ ଓ ସେଇ ଗାଁର କୁକୁର। ଗୋଟିଏ ସେକେଣ୍ତର ଫୁରସତ ପାଇନାହିଁ। ଖାଇବା ଗଣ୍ଠିଲି ଖୋଲି ପାରିନାହିଁ। ଅବସ୍ଥା ବାର।
ଦିଲ୍ଲୀର କୁକୁରମାନେ କହିଲେ- କିନ୍ତୁ ତୁ ତ ରେକର୍ଡ କରିଦେଲୁ।
କାନପୁରର କୁକୁର କହିଲା- ଗର୍ବ ତ ଅନୁଭବ କରୁଛି। କିନ୍ତୁ ଖୁସି ଲାଗୁନାହିଁ। କାରଣ ଯାତ୍ରାଟା ଉପଭୋଗ କରିପାରିଲି ନାହିଁ।
ଏହି କଥାଟି କହି ଗୁରୁ ୟୁଜିକେ କହିଲେ- ଆମେ ସମସ୍ତେ ସଫଳତାରେ ପହଞ୍ଚିବା ଲାଗି କେବଳ ଦୌଡ଼ିବାରେ ଲାଗିଛେ। ପ୍ରାଣ ବିକଳରେ ଦୌଡ଼ିବା ଦ୍ବାରା ଯାତ୍ରାର ଆନନ୍ଦ ପାଇ ପାରୁ ନାହାନ୍ତି। ଲକ୍ଷ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିଥିବାର ଖୁସି ମିଳୁଛି, କିନ୍ତୁ ଯାତ୍ରାଟି ଆନନ୍ଦଶୂନ୍ୟ ହେଉଛି।