ଜଣେ ସୁଫି ସନ୍ଥ ଭାବେ ଫିରୋଜଙ୍କ ଖ୍ୟାତି ସେତିକି ବେଳକୁ ବଢ଼ି ଚାଲିଥାଏ। ଏହା ସହି ପାରିଲେ ନାହିଁ ଆଉ ଜଣେ ସୁଫି ସନ୍ଥ ହାରୁନ। ଯେତେବେଳେ ପର୍ସିଆର ରାଜା ବି ଫିରୋଜଙ୍କ ପରାମର୍ଶ ଲୋଡ଼ିବା ଆରମ୍ଭ କଲେ, ହାରୁନ ଆଉ ସମ୍ଭାଳି ପାରିଲେ ନାହିଁ। କାରଣ, ହାରୁନ ଥିଲେ ରାଜାଙ୍କ ପ୍ରିୟପାତ୍ର।

Advertisment

ଦିନେ ହାରୁନ ରାଜାଙ୍କ ପାଖକୁ ଯାଇ ତାଙ୍କ ଆଗରେ ଫିରୋଜଙ୍କ ଛିଦ୍ର ସବୁ ବଖାଣିବା ଆରମ୍ଭ କଲେ। ରାଜା ତାଙ୍କ କଥାରେ ଏମିତି ପ୍ରଭାବିତ ହେଲେ ଯେ ଫିରୋଜଙ୍କ ପ୍ରତି ତାଙ୍କ ମନରେ ଗଢ଼ି ଉଠୁଥିବା ଧାରଣା ଟିକିଏ ବଦଳିଗଲା। ସେ ଫିରୋଜଙ୍କୁ ଡାକି ସେଇ ସବୁ ଛିଦ୍ର କଥା କହି ପଚାରିଲେ- ହାରୁନ ଏସବୁ ଯାହା କହୁଛନ୍ତି ତାହା କଅଣ ସତ?

ଫିରୋଜ ଏ କଥା ଶୁଣି ଉଠି ପଡ଼ିଲେ ଏବ˚ ଝଡ଼ ଭଳି ସେଠାରୁ ନିଷ୍କ୍ରାନ୍ତ ହେବା ପୂର୍ବରୁ ରାଜାଙ୍କୁ କହିଲେ- ମହାରାଜ, ଧନ୍ୟବାଦ।

ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ଫିରୋଜଙ୍କ ଆଉ ଦେଖା ମିଳିଲା ନାହିଁ। କିଛି ଦିନ ପରେ ରାଜା ନିଜେ ଫିରୋଜଙ୍କ ଲାଗି ବ୍ୟସ୍ତ ହେବା ଆରମ୍ଭ କଲେ। କୁଆଡ଼େ ଗଲେ ଫିରୋଜ?

ଅନେକ ଦିନ ପରେ ଫିରୋଜଙ୍କ ସନ୍ଧାନ ମିଳିଲା।

ରାଜା ସେଠାକୁ ଯାଇ ପଚାରିଲେ- କୁଆଡ଼େ ଯାଇଥିଲ, ଫିରୋଜ?

ଫିରୋଜ କହିଲେ- ନିଜକୁ ସୁଧାରିବାକୁ। ମୋ ପାଖରେ ଏତେ ଛିଦ୍ର ଥିଲା, ଯାହା ମୁଁ ଜାଣି ନ ଥିଲି।

ହାରୁନଙ୍କ ଦୃଷ୍ଟିରେ ତାହା ପଡ଼ିଲା। ତେଣୁ ତାଙ୍କୁ ଅଜସ୍ର ଧନ୍ୟବାଦ।

ଏବେ ରାଜା ବୁଝିପାରିଲେ ଯେ ଫିରୋଜଙ୍କୁ ନିଜ ପରାମର୍ଶଦାତା ରୂପେ ରଖି ସେ କୌଣସି ଭୁଲ କରି ନାହାନ୍ତି।