ବୁଢ଼ା ଆଙ୍ଗୁଠି ଓ ମୁଦି

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ମୁଦି କିଣିବା ଲାଗି ଗଲେ। ମନ ପସନ୍ଦର ମୁଦିଟି ବାଛିଲେ। କିନ୍ତୁ ସେ ମୁଦିଟି କେବଳ ମୁଦି ଆଙ୍ଗୁଠିକୁ ଠିକ୍‌ ଖାପ ଖାଇଲା। ସେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିରେ ତାକୁ ପିନ୍ଧି ଦେଖିଲେ। ମଝି ଆଙ୍ଗୁଠିକୁ ତାର ମାପ ଛୋଟ ହେଲା ବେଳକୁ କାଣୀ ଆଙ୍ଗୁଠିକୁ ତାହା ବଡ଼ ହେଲା।

ସେ ମୁଦି କିଣି ଘରକୁ ଫେରିଲେ ସିନା, ବାଟରେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିର କଥାବାର୍ତ୍ତା ଶୁଣିପାରିଲେ। ସେ ଯୋଡ଼ିକର ମନ କାହିଁରେ କଅଣ ଖରାପ ହୋଇଯାଇଥିଲା। ସେମାନଙ୍କୁ ମୁଦି ପିନ୍ଧିବାର ସୌଭାଗ୍ୟ ମିଳି ନ ଥିବାରୁ ସେମାନେ କାମ କରିବା ବନ୍ଦ କରିଦେବାକୁ ନିଷ୍ପତ୍ତି ନେଉଥିଲେ। ସେଇ ଲୋକ ଏହା ଶୁଣି ପାରି ତୁରନ୍ତ ଦୋକାନକୁ ଯାଇ ବିଶି, ମଝି ଓ କାଣୀ ଲାଗି ଆଉ ତିନିଟି ମୁଦି କିଣି ଆଣିଲେ। ଏବେ ସବୁ ଆଙ୍ଗୁଠି ଖୁସି। ହାତ ଠିକଣା ଭାବେ କାମ କଲା।

କିଛି ଦିନ ପରେ ଥରେ ଜଣେ ସନ୍ଥଙ୍କ ସହିତ ତାଙ୍କର ଦେଖା ହେଲା। ସନ୍ଥ ଜଣକ ତାଙ୍କୁ ଚାରି ଆଙ୍ଗୁଠିରେ ଚାରିଟି ମୁଦି ପିନ୍ଧିଥିବା ପଛର ରହସ୍ୟ ବାବଦରେ ପଚାରିଲେ।

ସେହି ବ୍ୟକ୍ତି ଯାହା ଯାହା ଘଟିଥିଲା ତାହା କହିଗଲେ।

ଏହା ଶୁଣି ସନ୍ଥ କହିଲେ- ତୁମେ କିନ୍ତୁ ବୁଢ଼ା ଆଙ୍ଗୁଠି କଥା ପୂରା ଭୁଲି ଯାଇଛ ଯେ!

ସେହି ବ୍ୟକ୍ତି କହିଲେ- ସତେ ତ?

ସନ୍ଥ କହିଲେ- ଏହାର କାରଣ ତାର କୌଣସି ଦାବି ନାହିଁ। ସେ ପ୍ରାୟ ନ ଥିଲା ଭଳି ହୋଇ ରହିଛି। କିନ୍ତୁ ଭାବ ତ ସେ କାମ କରିବା ବନ୍ଦ କରିଦେଲେ ତୁମେ ଚଳି ପାରିବ। ବାକି ଚାରିଟିରୁ ଗୋଟିଏ ଯଦି କାମ କରିବା ବନ୍ଦ କରିଦିଏ ତେବେ ଚଳିବ, କିନ୍ତୁ ବୁଢ଼ା ଆଙ୍ଗୁଠି ସେମିତି କଲେ ଚଳିବ?

ସମ୍ବନ୍ଧିତ ଖବର