କାମର ବୋଝ

କଥାଟିଏ - ଯାଯାବର

ଥରେ ଜଣେ ସନ୍ନ୍ୟାସୀ କିଛି ଶିଷ୍ୟଙ୍କୁ ଧରି ପାହାଡ଼ ଚଢ଼ି ଏକ ଦୂର ସ୍ଥାନକୁ ଯାଉଥିଲେ। ପାହାଡ଼ିଆ ରାସ୍ତାଟି ଥିଲା ବନ୍ଧୁର ଏବ˚ ଯାତ୍ରା ଥିଲା କ୍ଳେଶଦାୟକ। କିଛି ବାଟ ପାହାଡ଼ ଚଢ଼ିଲା ପରେ ସନ୍ନ୍ୟାସୀ ଦେଖିଲେ ଯେ ଗୋଟିଏ କିଶୋରୀ ତା’ ପିଠିରେ ଏକ ସାନ ପିଲାକୁ ଲୁଗାରେ ବାନ୍ଧି ଉପରକୁ ଉଠୁଛି।

ସନ୍ନ୍ୟାସୀଙ୍କ ଶିଷ୍ୟମାନେ କହିଲେ- ଦେଖନ୍ତୁ ଛୋଟ ଓ କୃଶକାୟା ଝିଅଟିଏ କେମିତି ଗୋଟିଏ ପିଲାର ବୋଝ ବୋହି ଚାଲିଛି। ତା’ର ବାପାମାଆ କେତେ ନିର୍ଦୟ ସତେ?

ଜଣେ ଶିଷ୍ୟ କହିଲା- ଏ କଠିନ ପାହାଡ଼ ଚଢ଼ା ଆମକୁ ବାଧୁଛି। ତା’ ଅର୍ଥ ସେଇ ଝିଅର ଅବସ୍ଥା କଅଣ ହେଉଥିବ?

ଏ କଥା ଶୁଣି ସନ୍ନ୍ୟାସୀ ଝିଅଟିକୁ କହିଲେ- ମାଆ, ତୁମେ କୁଆଡ଼େ ଯାଉଛ?

ଝିଅଟି କହିଲା- ପାହାଡ଼ ଉପର ଏକ ଗାଁରେ ମୋର ଘର। ସେଠାକୁ ଯାଉଛି।

ସନ୍ନ୍ୟାସୀ କହିଲେ- ଆରେ, ଆମେ ବି ତ ସେଇ ଗାଁକୁ ଯାଉଛୁ। ହଉ ହେଲା, ତୁମେ ଜଣେ ଛୋଟ ପିଲା। ପୁଣି ତା’ ଉପରେ ଏ ସାନ ପିଲାର ବୋଝ। ତୁମକୁ ବାଧୁ ନାହିଁ? ଦିଅ, ସେଇ ପିଲାକୁ ଆମକୁ ଦିଅ। ଆମେ ତାକୁ ଧରିବୁ।

ଝିଅଟି ଅଳ୍ପ ହସି କହିଲା- ଆଜ୍ଞା, ୟେ ହେଉଛି ମୋର ସାନ ଭାଇ। ଭାଇ କେବେ ମୋ ଲାଗି ବୋଝ ହୋଇପାରେ?

ଏଇ ପଦକ କଥାରେ ସନ୍ନ୍ୟାସୀଙ୍କ ଆଖି ଖୋଲିଗଲା। ସେ କ୍ଷଣେ ଛିଡ଼ା ହୋଇଗଲେ। ଓଃ ଝିଅଟିର ସେଇ ଧାଡ଼ିକ କଥାରେ କେତେ ଗୂଢ଼ ଅର୍ଥ ଭରି ରହିଥିଲା। ସନ୍ନ୍ୟାସୀ ବୁଝିଲେ ଯେ କୌଣସି କାମରେ ଶ୍ରଦ୍ଧା ଥିଲେ ତାହା ବୋଝ ଭଳି ଲାଗେନାହିଁ।

ସମ୍ବନ୍ଧିତ ଖବର

Comments are closed.