ରାଜାଙ୍କ ବିଚାର

କଥାଟିଏ - ଯାଯାବର

ଜଣେ ରାଜା ଥିଲେ। ତାଙ୍କର ସବୁଠାରୁ ପ୍ରିୟ ବ୍ୟକ୍ତି ଥିଲେ ତାଙ୍କ ମହାମନ୍ତ୍ରୀ। ରାଜା କେବଳ ତାଙ୍କ ପରାମର୍ଶ ନେଉ ନ ଥିଲେ, ତାଙ୍କୁ ବହୁତ ଶ୍ରଦ୍ଧା କରୁଥିଲେ। ମହାମନ୍ତ୍ରୀଙ୍କ ଗୋଟିଏ ପୁତ୍ର ଥିଲା। ସେ ଯେତେ ବେଳେ ତାରୁଣ୍ୟରେ ପହଞ୍ଚିଲା ସେ ଭାବିଲା କେମିତି ରାଜସି˚ହାସନ ହାସଲ କରିବ। ସେ ତା’ର ଉଚ୍ଚାଭିଳାଷ କଥା ବାପାଙ୍କୁ କହିଲା। ଏ କଥା ଶୁଣିଲା ପରେ ପୁତ୍ର ମୋହାନ୍ଧ ମନ୍ତ୍ରୀଙ୍କ ମନ ବି ବଦଳିଗଲା। ରାଜାଙ୍କୁ ସି˚ହାସନଚ୍ୟୁତ କରିବାକୁ ସେ ଷଡ଼୍‌ଯନ୍ତ୍ର ଆରମ୍ଭ କଲେ।

କିଛି ମାସ ଭିତରେ ଷଡ଼୍‌ଯନ୍ତ୍ରକୁ ରୂପ ଦେବାର ପ୍ରସ୍ତୁତି ସରିଗଲା। ରାଜାଙ୍କର ଜଣେ ପୁରୁଣା ଶତ୍ରୁଙ୍କୁ ହାତ କରି କିଛି ସୈନିକ ରାଜାଙ୍କ ଉପରେ ଅତର୍କିତ ଆକ୍ରମଣ କଲେ। କିନ୍ତୁ ରାଜାଙ୍କ ବିଶ୍ବସ୍ତ ସୈନ୍ୟମାନେ ବିଦ୍ରୋହକୁ ଦମନ କରିବାରେ ସମର୍ଥ ହେଲେ। ମହାମନ୍ତ୍ରୀ ଓ ରାଜାଙ୍କ ଶତ୍ରୁ ଦୁଇ ଜଣ ଯାକ ବନ୍ଦୀ ହେଲେ। ମହାମନ୍ତ୍ରୀଙ୍କ ବିଶ୍ବାସଘାତକତା ରାଜାଙ୍କୁ ମର୍ମାହତ କଲା।

ରାଜାଙ୍କ ସମ୍ମୁଖକୁ ଦୁଇ ବନ୍ଦୀଙ୍କୁ ଅଣାଗଲା। ଦୁହେଁ ଗୋଡ଼ ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ। ରାଜା କିଛି ସମୟ ଚିନ୍ତା କରି ଶତ୍ରୁକୁ କ୍ଷମା ଦେଲେ; କିନ୍ତୁ ମନ୍ତ୍ରୀଙ୍କୁ ରାଜ୍ୟରୁ ନିର୍ବାସିତ କଲେ।

ଏ କଥା ରାଜାଙ୍କ ଶତ୍ରୁଙ୍କ ହୃଦୟକୁ ବଦଳାଇ ଦେଲା। ସେ ରାଜାଙ୍କ ଅତ୍ୟନ୍ତ ଅନୁଗତ ହୋଇଗଲେ। ସେ ଦିନେ ରାଜାଙ୍କୁ ପଚାରିଲେ- ମହାରାଜ, ଆପଣ ମୋ ଭଳି ଶତ୍ରୁକୁ କ୍ଷମା କଲେ, ଅଥଚ ମହାମନ୍ତ୍ରୀଙ୍କୁ କ୍ଷମା କଲେନାହିଁ କାହିଁକି?

ରାଜା କହିଲେ- ତୁମେ ମୋ’ର ଶତ୍ରୁ ଥିଲ। ତୁମଠାରୁ ମୁଁ ଏହା ହିଁ ଆଶା କରୁଥିଲି। କିନ୍ତୁ ମହାମନ୍ତ୍ରୀ? ସେ ତ ବନ୍ଧୁ ମୁଖାଧାରୀ ଶତ୍ରୁ। ଶତ୍ରୁକୁ କ୍ଷମା କରାଯାଇପାରେ; କିନ୍ତୁ, ବିଶ୍ବାସଘାତକ ବନ୍ଧୁକୁ କଦାପି ନୁହେଁ।

ସମ୍ବନ୍ଧିତ ଖବର

Comments are closed.