ଉପଯୁକ୍ତ ବ୍ୟବହାର

କଥାଟିଏ - ଯାଯାବର

ଶିବାନନ୍ଦ ନାମକ ଜଣେ ସାଧୁ ଥିଲେ। ତାଙ୍କ ପାଖରେ ଥିଲା ଗୋଟିଏ ଚମତ୍କାରୀ ମୁଣି। ମୁଣିରେ ହାତ ପୂରାଇ ସେ ଯାହା ମାଗୁଥିଲେ ତାହା ବାହାରୁଥିଲା। ସାଧାରଣ ଲୋକେ ଯେତେବେଳେ ଯାହା ଚାହୁଁଥିଲେ ତାଙ୍କ ପାଖକୁ ଯାଉଥିଲେ ଏବ˚ ଶିବାନନ୍ଦ କେବେ କାହାକୁ ନିରାଶ କରୁ ନ ଥିଲେ।

ଏ କଥା ଜାଣିଲେ ଆଉ ଜଣେ ସାଧୁ ଜୀବାନନ୍ଦ। ସେ ଶିବାନନ୍ଦଙ୍କୁ କହିଲେ- ମହାତ୍ମା, ଆପଣ ମୋତେ ମୁଣିଟିକୁ କିଛି ଦିନ ଲାଗି ଦେଇ ପାରିବେ କି?

ଶିବାନନ୍ଦ କହିଲେ- ଜୀବାନନ୍ଦ, ତୁମେ ଏ ମୁଣିକୁ ସବୁ ଦିନ ଲାଗି ପାଖରେ ରଖିପାର। କିନ୍ତୁ ଏହାର ଉପଯୁକ୍ତ ବ୍ୟବହାର କରିବ। ମୁଣିରେ ହାତ ଭରିବା ପୂର୍ବରୁ ଈଶ୍ବରଙ୍କୁ ପ୍ରାର୍ଥନା କରି ଯାହା ମାଗିବା କଥା ମାଗିବ ଏବ˚ ପାଇ ସାରିଲା ପରେ ଈଶ୍ବରଙ୍କୁ କୃତଜ୍ଞତା ପ୍ରକାଶ କରିବ।

ଜୀବାନନ୍ଦ ଏତେ ସହଜରେ ମୁଣିକୁ ପାଇଯିବେ ବୋଲି ଭାବି ପାରି ନ ଥିଲେ। ଅନେକ ଦିନ ପରେ ଜୀବାନନ୍ଦ ଶିବାନନ୍ଦଙ୍କୁ ମୁଣିଟି ଫେରାଇ ଦେବାକୁ ଆସିଲେ। ସେ କହିଲେ- ଆପଣଙ୍କ ମୁଣି ଅକାମି ହୋଇଯାଇଛି। ସେଥିରୁ ଆଉ ଇଚ୍ଛା ମୁତାବକ ଜିନିଷ ବାହାରୁ ନାହିଁ।

ଶିବାନନ୍ଦ ପଚାରିିଲେ- କାହା ଇଚ୍ଛା ମୁତାବକ? ତୁମର ଇଚ୍ଛା ନା ଯେଉଁ ଲୋକ ମାଗୁଛି ତାର ଇଚ୍ଛା ନା ପ୍ରଭୁଙ୍କ ଇଚ୍ଛା?

ତା’ପରେ ଶିବାନନ୍ଦ କହିଲେ- ତୁମେ ଏଇ ମୁଣିରୁ ନିଜ ପାଇଁ ବି କିଛି ମାଗିଛ କି?

ଜୀବାନନ୍ଦ ନିରୁତ୍ତର ରହିଲେ। ତା’ ପରେ କହିଲେ ନିଜ ପାଇଁ ମାଗିଥିଲି, ପାଇଲି ନାହିଁ ବୋଲି ଫେରାଇବାକୁ ଆଣିଥିଲି।

ଶିବାନନ୍ଦ କହିଲେ- ଜାଣିଥିଲି। ସେଥିଲାଗି ତ କହିଥିଲି ଉପଯୁକ୍ତ ବ୍ୟବହାର କରିବ!

ସମ୍ବନ୍ଧିତ ଖବର