ମୃତ୍ୟୁ ପରେ ସେ ଆବିଷ୍କାର କଲେ ଯେ ତାଙ୍କ ଆତ୍ମା ଏକ ଚମତ୍କାର ସ୍ଥାନରେ ପହଞ୍ଚିଯାଇଛି। ସେ ଏକ ମୁଲାୟମ ଶଯ୍ୟାରେ ଶୋଇଛନ୍ତି। ତାଙ୍କ ଚାରି ପାଖେ ରହିଛି ଭଳିକି ଭଳି ସୁସ୍ବାଦୁ ଖାଦ୍ୟ। ପୂରାପୂରି ଆରାମଦାୟକ ପରିବେଶ। ସେ ବିଶ୍ବାସ କରିପାରିଲେ ନାହିଁ ଯେ ମୃତ୍ୟୁ ପରେ ପୁଣି ତାଙ୍କୁ ଏମିତି ଏକ ସୁନ୍ଦର ସ୍ଥାନକୁ ଆସିବାର ଥିଲା।

Advertisment

ଏଇ ସମୟରେ ପହଞ୍ଚିଲେ ଜଣେ ସମ୍ଭ୍ରାନ୍ତ ଦର୍ଶନ ଶ୍ବେତବସ୍ତ୍ର ପରିହିତ ବ୍ୟକ୍ତି। ସେ କହିଲେ- ତୁମକୁ ଏଠାକୁ ସ୍ବାଗତ। ତୁମେ ଜୀବନରେ ଯାହା କିଛି ଚାହିଁଥିଲ କିନ୍ତୁ ପାଇ ନ ଥିଲ; ତାହା ଏଠାରେ ପାଇବ। କେବଳ ତୁମେ ମନେ ମନେ ଭାବ, ତୁମ ଲାଗି ତାର ବ୍ୟବସ୍ଥା ହୋଇଯିବ।

ସେ ବ୍ୟକ୍ତି ଆନନ୍ଦରେ କୁରୁଳି ଉଠିଲେ। ତାଙ୍କ ଜୀବନରେ ଅନେକ ଅତୃପ୍ତ କାମନା ଥିଲା। ସେ ସବୁ ଅତୃପ୍ତ କାମନାକୁ ଗୋଟି ଗୋଟି କରି ପୂରଣ କଲେ। ଏମିତି କଟିଗଲା ଅନେକ ବର୍ଷ।

ଦିନେ ସେଇ ବ୍ୟକ୍ତିଙ୍କ ଆତ୍ମା ପୁଣି ଖୋଜିଲା ସେଇ ଶ୍ବେତବସ୍ତ୍ର ପରିହିତ ବ୍ୟକ୍ତିଙ୍କୁ। ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଗଲେ ସେଇ ଶ୍ବେତବସ୍ତ୍ର ପରିହିତ ବ୍ୟକ୍ତି।

ସେ ପଚାରିଲେ- କଅଣ ହେଲା?

ଆଜ୍ଞା, ଯାହା ଜୀବନରେ କେବେ ପାଇ ନ ଥିଲି ସବୁ ଗୋଟି ଗୋଟି କରି ଭୋଗ କଲି। କେବଳ ଥରେ ନୁହେଁ ବା ଦିନେ ନୁହେଁ, ଥରକୁ ଥର ଏବ˚ ବର୍ଷ ବର୍ଷ ଧରି ସବୁ ଉପଭୋଗ କଲି। ଶେଷରେ କ୍ଳାନ୍ତ ହୋଇଗଲିଣି। ଏବେ ଚାହୁଁଛି ମୋତେ କିଛି କାମ ଦିଅନ୍ତୁ। ପୂରା ବେକାର ଲାଗିଲାଣି। ଯାହା ପାରିବେ, ଦାୟିତ୍ବଟିଏ ଦିଅନ୍ତୁ, ଫଳରେ ଭଲ ଲାଗିବ।

ଶ୍ବେତବସ୍ତ୍ର ପରିହିତ ବ୍ୟକ୍ତି କହିଲେ- ମୁଁ ତୁମକୁ ସେତକ ଦେଇ ପାରିବି ନାହିଁ।

ତା’ ପରେ ପୁଣି ବିତିଗଲା ଆହୁରି ଅନେକ ବର୍ଷ। ପୁଣି ଦିନେ ସେ ମନେ ପକାଇଲା ଶ୍ବେତବସ୍ତ୍ରଧାରୀଙ୍କୁ ଏବ˚ କହିଲା- ଆଉ ରହି ହେବନି। କିଛି ତ କରିବାକୁ ଦିଅନ୍ତୁ!

ସେ କହିଲେ- କହିଥିଲି ନା କାମ ଦେଇ ପାରିବି ନାହିଁ। ଲୋକଟି ହତାଶାରେ କହିପକାଇଲା- ତାହା ହେଲେ ମୋତେ ନର୍କକୁ ପଠାଇ ଦିଅନ୍ତୁ।

ଶ୍ବେତବସ୍ତ୍ରଧାରୀ କହିଲେ- ତୁମେ ନର୍କରେ ଅଛ। ସେଥି ପାଇଁ ଶଢୁଛ।