ଗୂଢ଼ ଜ୍ଞାନ

କଥାଟିଏ - ଯାଯାବର

ଜଣେ ଗୁରୁଙ୍କ ପାଖରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳେ ଗୁରୁ ଏକ ଚା’ ପୂର୍ଣ୍ଣ ପିଆଲା ଧରି ଘର ବାରଣ୍ଡାରେ ବସି ପିଇବାକୁ ଯାଉଥିଲେ। ଯୁବକ ସେଠାରେ ପହଞ୍ଚି ଗୁରୁଙ୍କୁ ଅଭିବାଦନ କରି ନିଜ ପରିଚୟ ଦେଇ କହିଲେ- ମହାଶୟ ମୁଁ ଆପଣଙ୍କ ଠାରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଆସିଛି। କେବଳ ଆପଣ ହିଁ ତାହା ଦେଇପାରିବେ। ମୁଁ ଜାଣେ ଆପଣ ବାଛି ବାଛି ଶିଷ୍ୟ ଗ୍ରହଣ କରନ୍ତି। ସେଥି ଲାଗି ମୁଁ ପ୍ରଥମରୁ ପ୍ରସ୍ତୁତ ହୋଇ ଆସିଛି। ମୁଁ ବିଭିନ୍ନ ଦର୍ଶନ ଓ ତତ୍ତ୍ବ ବାବଦରେ ବହୁତ କିଛି ପଢ଼ିଛି। ଆପଣ ମୋର ଜ୍ଞାନର ଗଭୀରତାକୁ ପରୀକ୍ଷା କରନ୍ତୁ ଓ ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।

ଗୁରୁ କିଛି ନ କହି ଯୁବକକୁ କହିଲେ- ଏ ପିଆଲା କାହିଁକି କାମରେ ଲାଗିଛି ଜାଣିଛ। କାରଣ ଏହା ଭିତର ଖାଲି ଅଛି। ସେଥିଲାଗି ଆମେ ସେଥିରେ ପାଣି ଭରି ପାରୁଛୁ। ଦେଖ ମୁଁ ଏଥିରେ ଚା’ ପିଉଛି। ଭାବ ତ ପିଆଲାଟିରେ ଖାଲି ସ୍ଥାନ ନ ଥାଆନ୍ତା, ତେବେ ତାହା ଏକ ଅଦରକାରୀ ନିଦା ଜିନିଷଟିଏ ହୋଇଥାଆନ୍ତା। ତେଣୁ ଏଥିରୁ ବୁଝ। ତୁମେ ମୂଳରୁ ତୁମ ମୁଣ୍ଡଟିକୁ ନିଦା କରି ଆସିଛ। ସେଥିରେ ଗୂଢ଼ ଜ୍ଞାନ ଭରି ହେବା ଲାଗି ଆଉ ଜାଗା ନାହିଁ। ତେଣୁ ଆଗ ଯାଇ ତୁମ ମୁଣ୍ଡକୁ ଖାଲି କରି ଆସ। ମନେ ରଖ ଏହା ହେଉଛି ମୁଁ ତୁମକୁ ପ୍ରଦାନ କରିଥିବା ପ୍ରଥମ ଗୂଢ଼ ଜ୍ଞାନ।

ସମ୍ବନ୍ଧିତ ଖବର

Comments are closed.