ଭଉଣୀର ଅନୁତାପ

କଥାଟିଏ - ଯାଯାବର

ହିଟଲରଙ୍କ ସମୟ। ଅକ୍ଟୋବର ମାସ। ଅଷ୍ଟ୍ରିଆର ଗୋଟିଏ ଇହୁଦୀ ପରିବାରର ସଦସ୍ୟମାନଙ୍କୁ ନାଜୀମାନେ ଧରି ନେଲେ। ସେମାନଙ୍କୁ ମୃତ୍ୟୁର ଶିବିରକୁ ପଠାଇ ଦିଆଗଲା। ସେଇ କ୍ରମରେ ପରିବାରର ବାର ବର୍ଷର ଝିଅ ଓ ତାର ଛଅ ବର୍ଷର ଭାଇକୁ ଗୋଟିଏ ସ୍ଥାନକୁ ପଠାଯିବ ବୋଲି ଟ୍ରକ୍‌ରେ ନିଆଗଲା। ସେମାନେ ପହଞ୍ଚିଲେ ଗୋଟିଏ ରେଳ ଷ୍ଟେସନରେ। ପୂର୍ବରୁ ସେଠାରେ ଶହ ଶହ ସ˚ଖ୍ୟାରେ ଇହୁଦୀମାନେ ଅପେକ୍ଷା କରି ରହିଥିଲେ। ସେମାନଙ୍କୁ ନେବା ଲାଗି ଯେଉଁ ମାଲବାହୀ ରେଳଗାଡ଼ିର ବ୍ୟବସ୍ଥା କରାଯାଇଥିଲା, ତାହା ପହଞ୍ଚି ନ ଥିଲା। ତିନି ଦିନ ପରେ ତାହା ପହଞ୍ଚିଲା। ସେଠାରେ ଥିବା ଇହୁଦୀମାନଙ୍କୁ ଗୋରୁଗାଈ ଭଳି ଵାଗନ୍‌ ଭିତରେ ଭର୍ତ୍ତି କରି ଦିଆଗଲା। ସେତିକି ବେଳେ ଝିଅଟି ଦେଖିଲା ଯେ ତା ଭାଇର ପାଦରେ ଜୋତା ନାହିଁ। ପିଲାଟି ତାହା ବୋଧହୁଏ କେଉଁଠିି ହଜାଇ ଦେଇଥିଲା। ଅଷ୍ଟ୍ରିଆରେ ଶୀତ ଦିନେ ଜୋତା ନ ପିନ୍ଧିବାର ଅର୍ଥ ନିଜ ଗୋଡ଼ ଦୁଇଟିକୁ ହରାଇବା। ଝିଅଟି ଭାଇର ଏ ଦାୟିତ୍ବହୀନତାରେ ରାଗି ଯାଇ କହିଲା- ତୁ ମରିବୁ, ମର।

ରେଳଟି ଗନ୍ତବ୍ୟରେ ପହଞ୍ଚିଲା ପରେ ଭାଇ ଓ ଭଉଣୀ ପରସ୍ପରଠାରୁ ଅଲଗା ହୋଇଗଲେ। ଚାରି ବର୍ଷ ପରେ ଝିଅଟି ଯେତେବେଳେ ତାର ସୌଭାଗ୍ୟରୁ ମୃତ୍ୟୁ ଓ ଯାତନା ଶିବିରରୁ ଜୀବିତ ଅବସ୍ଥାରେ ମୁକ୍ତି ପାଇଲା, ସେ ଜାଣିଲା ଯେ ତା ପରିବାରର ବାକି ଆଠଜଣ ଯାକ ସଦସ୍ୟ ନିଶ୍ଚିହ୍ନ ହୋଇ ଯାଇଛନ୍ତି। ସେଇ ମୁହୂର୍ତ୍ତରେ ଝିଅଟିର ମନରେ ଭାସିଗଲା ସେ ତାର ସାନ ଭାଇ ଉପରେ ବର୍ଷଣ କରିଥିବା ଅଭିସ˚ପାତ; ଭାଇ ସହ ତାର ଶେଷ କଥା।

ଝିଅଟି ବଡ଼ ହେଲା। ଯୁକ୍ତରାଷ୍ଟ୍ର ଆମେରିକାରେ ରହିଲା ଓ ତା’ ବୃତ୍ତିରେ ବହୁତ ଉନ୍ନତି କଲା। କିନ୍ତୁ ସେହି ଧାଡ଼ିକ କଥା ଲାଗି ତାର ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେ ନିଜକୁ କ୍ଷମା କରିପାରିଲାନାହିଁ। ସେ ବୁଝିଥିଲା କ୍ରୋଧର ବଶବର୍ତ୍ତୀ ହେଲେ ପାଟିରୁ ଯାହା ବାହାରିଯାଏ, ସେଥିଲାଗି ହୁଏ’ତ ସାରା ଜୀବନ ଅନୁତାପ କରିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର

Comments are closed.