ମୂଲ୍ୟହୀନ ସୁନା

କଥାଟିଏ - ଯାଯାବର

ସିରିଆରେ ଥିଲେ ଜଣେ ଅତ୍ୟନ୍ତ ଲୋଭୀ ବଣିକ। ସୁନା ଲାଗି ତାଙ୍କର ଅପାର ମୋହ ଥିଲା। ଥରେ ମରୁଭୂମିରେ ତାଙ୍କ ବନ୍ଧୁଙ୍କ ସହିତ ସେ ବଣିଜ କରିବା ଲାଗି ଦୂର ସ୍ଥାନକୁ ଗଲା ବେଳେ ବନ୍ଧୁଙ୍କ ପାଖରେ ଥିବା ସୁବର୍ଣ୍ଣ ପାଇବା ଲାଗି ବାଟରେ ତାଙ୍କୁ କୌଶଳ କ୍ରମେ ହତ୍ୟା କଲେ।

କିନ୍ତୁୁ ତାଙ୍କ ଦୁର୍ଭାଗ୍ୟ ଯେ ମରୁଭୂମିରେ ଯାତ୍ରା କଲା ବେଳେ ସୃଷ୍ଟି ହେଲା ଭୀଷଣ ମରୁଝଡ଼। ମରୁଝଡ଼ ଥମିବା ପରେ ସେ କେଉଁ ଆଡ଼େ ଯିବେ, ତାହା ସ୍ଥିର କରି ପାରିଲେ ନାହିଁ। ସ୍ବାଭାବିକ ଭାବେ ସେ ବାଟ ବଣା ହୋଇଗଲେ। ତାଙ୍କ ପାଖରେ ଅଳ୍ପ ପାଣି ଥିଲା। ତାହା ବି ସରିଗଲା। ଏବେ ଶୋଷରେ ପ୍ରାଣ ଚାଲିଯିବା ଭଳି ଅବସ୍ଥା।

ଏହି ସମୟରେ ଦିଶିଲା ଗୋଟିଏ କୂଅ। କୂଅରେ ଅନେକ ଗଭୀରରେ ଟିକିଏ ପାଣି ଥିଲା। ବାହାରେ ଦଉଡ଼ିରେ ବନ୍ଧା ହୋଇଥିଲା ଗୋଟିଏ ସୁନାର ପାତ୍ର। ପାଣି ମିଳିଗଲା ବୋଲି ବଣିକ ଆତ୍ମହରା ହୋଇଗଲେ। ପାତ୍ରଟି ସୁନାର ହୋଇଥିବା ସତ୍ତ୍ବେ ବଣିକଙ୍କ ଆଖିରେ ତାହା ପଡ଼ିଲା ନାହିଁ। ପାତ୍ରକୁ କୂଅରେ ପକାଇ ବିକଳରେ ତାକୁ ବାହାରକୁ ଟାଣିବା ପରେ ସେ ଦେଖିଲେ ଯେ ସେଥିରେ ପାଣି ନାହିଁ। ବିଧିର ବିଡ଼ମ୍ବନା, ତହିଁରେ ଥିଲା ଗୋଟିଏ ବଡ଼ ଛିଦ୍ର।

ବଣିକ ହତାଶା ଓ କ୍ରୋଧରେ ସୁବର୍ଣ୍ଣ ପାତ୍ରକୁ କଚାଡ଼ି ଦେଲେ। ଏବେ ସେ ବୁଝିପାରୁଥି‌େଲ ସୁନା ବି କେତେ ମୂଲ୍ୟହୀନ ହୋଇପାରେ।

ସମ୍ବନ୍ଧିତ ଖବର