ଗୁରୁଙ୍କୁ ତାଙ୍କର ପଟ୍ଟ ଶିଷ୍ୟ କହିଲା- ଗତ କାଲି, ମୁଁ ମାତ୍ରାଧିକ ଭାବେ ରାଗି ଗଲି। ତା ପରେ ବହୁତ ଅନୁତାପ କଲି। ଭାବୁଛି ଆଉ ରାଗିବି ନାହିଁ।
ଗୁରୁ ପଚାରିଲେ- ଅନୁତାପ କଲା ପରେ କେମିତି ଲାଗିଲା?
ଶିଷ୍ୟ କହିଲେ- ବହୁତ ଶାନ୍ତି ଲାଗିଲା। ମୁଁ କେବେ ଏମିତି ରାଗେ ନାହିଁ। ହଠାତ୍ ରାଗି ଗଲି। ତା ପରେ ଅନୁତାପ ଆସିଲା। ମୁଁ ଭାବିଲି ମୋ ଦ୍ବାରା ଏମିତି ହେଲା କେମିତି? ସେଥିଲାଗି ମୁଁ ମନେ ମନେ କ୍ଷମା ମାଗିଲି। ତା ହୋଇ ନ ଥିଲେ ମୁଁ ରାତିରେ ଶାନ୍ତିରେ ଶୋଇ ପାରି ନ ଥାଆନ୍ତି।
ଗୁରୁ ଏହା ଶୁଣି କହିଲେ- କିନ୍ତୁ ଏହା ଦ୍ବାରା କିଛି ଲାଭ ହେବ ନାହିଁ।
ଶିଷ୍ୟ କହିଲା- କିଛି ଲାଭ ନାହିଁ? ଏମିତି କାହିଁକି କହୁଛନ୍ତି?
ଗୁରୁ କହିଲେ- ପ୍ରଥମ କଥା ହେଲା, ରାଗି ସାରିବା ପରେ ଅନୁତାପ କରି ଗ୍ଳାନିରୁ ମୁକ୍ତି ପାଇଯିବାର ବାଟ ଜାଣିଗଲେ ତୁମେ ବାରମ୍ବାର ରାଗିବ। ରାଗିଲା ପରେ ତୁମକୁ ଖରାପ ଲାଗିବ ଓ ତୁେମ ଅନୁତାପ କରି ସେଥିରୁ ମୁକ୍ତି ପାଇଯିବ ଓ ଶାନ୍ତିରେ ଶୋଇପାରିବ। ତେଣୁ ଏଣିକି ରାଗିବା ଲାଗି ତୁମକୁ ଏକ ସହଜ ବାଟ ମିଳିଗଲା।
ଶିଷ୍ୟ କହିଲା- ତାହା ହେଲେ ଜଣେ କ’ଣ କରିବା ଉଚିତ।
ଗୁରୁ କହିଲେ- ବରଂ, ଗ୍ଳାନିରେ ଶଢ଼ିବା ଭଲ। ଯେତେ ଅନୁତାପ କଲେ ବି ମୋ କ୍ରୋଧ ଅନ୍ୟ ଠାରେ ବା ମୋ ଠାରେ ଯେଉଁ କ୍ଷତି କରିଛି ତାହା କେବେ ବି ଲିଭିବ ନାହିଁ ବୋଲି ସର୍ବଦା ମନରେ ରହିବା ଦରକାର। ତାହା ହେଲେ ତୁମେ କ୍ରୋଧାନ୍ବିତ ହେବା ଛାଡ଼ିବ।