ବୈରାଗ୍ୟର ଚିହ୍ନ

କଥାଟିଏ - ଯାଯାବର

ସନ୍ଥ ଫରିଦ ଥିଲେ ଅତ୍ୟନ୍ତ ଦରିଦ୍ର। ତାଙ୍କର କୌଣସି ପାର୍ଥିବ ପଦାର୍ଥ ପ୍ରତି ଆସକ୍ତି ନ ଥିଲା।

ଥରେ ଜଣେ ଧନୀ ବଣିକ ଫରିଦଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ତେଣୁ ସେ ଜଣେ ଲୋକଙ୍କୁ ହୀରା ମୁଦିଟିଏ ଦେଇ ଫରିଦଙ୍କ କୁଡ଼ିଆର ବାରଣ୍ତା ତଳେ ପକାଇ ଦେଇ ଆସିବାକୁ କହିଲେ। ଲୋକ ଜଣକ ତାହା କଲେ।

ସକାଳେ ଫରିଦ କୁଡ଼ିଆ ବାହାରକୁ ଆସନ୍ତେ ତାଙ୍କୁ ମୁଦିଟି ଦିଶିଗଲା। ସେ ତାକୁ ଉଠାଇ ଆଣିଲେ। ପୂର୍ବ ଦିନ ଫରିଦ ଉପାସରେ ଥିଲେ। ତେଣୁ ମୁଦିଟି ପାଇବା କ୍ଷଣି ତାକୁ ଧରି ବଜାର ଆଡ଼େ ଚାଲିଲେ। ଏ କଥା ଲୁଚି ଦେଖୁଥିଲେ ବଣିକ। ଫରିଦ କ’ଣ କରୁଛନ୍ତି ତାହା ଦେଖିବାକୁ ତାଙ୍କ ମନରେ ଆଗ୍ରହ ଜାତ ହେଲା।

ସେ ତାଙ୍କୁ ଅନୁସରଣ କଲେ। ସେ ଦେଖିଲେ ଯେ ଫରିଦ ଗୋଟିଏ ଦୋକାନରେ ପହଞ୍ଚି ଗୋଟିଏ ବେଳାର ଖାଦ୍ୟ ହେବା ସକାଶେ ଯାହା ସାମଗ୍ରୀ ଲୋଡ଼ା ତାର ବରାଦ ଦେଲେ ଏବ˚ ଦୋକାନୀଙ୍କୁ କହିଲେ ଯେ ତାଙ୍କ ପାଖରେ ପଇସା ନ ଥିବାରୁ ମୂଲ୍ୟ ଭାବେ ସେ ଏହି ମୁଦିଟିକୁ ଦେବାକୁ ଚାହାନ୍ତି।

ମୁଦିଟି ଦେଖି ଦୋକାନୀ ମୁଣ୍ତରେ ହାତ ଦେଲା ଓ କହିଲା- ବାବା, ତୁମେ ବୋଧହୁଏ ମୁଦିର ମୂଲ୍ୟ ଜାଣି ପାରୁନା। ଏହାକୁ ଜଣେ ଜହୁରୀ ପାଖକୁ ନେଇ ଯାଅ। ଯାହା ମୂଲ୍ୟ ପାଇବ, ସେଥିରେ ସାରା ଜୀବନ ଚଳିଯିବ।

ଫରିଦ କହିଲେ- ମୁଁ ଜାଣେ ଯେ ତାହା ହେଉଛି ହୀରା। କିନ୍ତୁ ମୋର ଯାହା ଦରକାର ତାହା ହେଲା ଦିନରେ ଥରକ ଲାଗି ଖାଦ୍ୟ। ଆଉ ମୋ ପାଖରେ ଦେବା ଲାଗି କେବଳ ଏହା ଥିବାରୁ ଏହାକୁ ନିଅ। ଏହା ଠାରୁ ଅଧିକ ଇଚ୍ଛା ମୋର ନାହିଁ।

ସମ୍ବନ୍ଧିତ ଖବର