ଦୁଇ ଜଣ ବୈରାଗୀ ସାଧୁ ଯାଉଥିଲେ। ବାଟରେ ଗୋଟିଏ ଗଛ ମୂଳରେ ସେମାନେ ବିଶ୍ରାମ ନେଉଥିବା ବେଳେ ଜଣେ ସାଧୁ ପାଣି ପିଇବା ଲାଗି ଅଦୂରରେ ବହି ଯାଉଥିବା ନଈ ଆଡ଼କୁ ଗଲେ। ହଠାତ୍ ସେ ଦେଖିଲେ ଯେ ବାଟରେ କ’ଣ ଗୋଟିଏ ଚକଚକ କରୁଛି। ନଇଁ ପଡ଼ି ଦେଖନ୍ତି ତ ତାହା ଗୋଟିଏ ସୁନା ମୋହର। ତେଣୁ ସେ ଭାବିଲେ ଯେ ଏଠାକୁ ପାଣି ପିଇବା ପାଇଁ ତାଙ୍କ ବନ୍ଧୁ ମଧ୍ୟ ଆସିବେ। ଯଦି ସେ ଏହି ସୁନା ମୋହରକୁ ଦେଖନ୍ତି ଏବଂ ତାଙ୍କ ମନରେ ଲୋଭ ଦେଖା ଦିଏ, ତେବେ ସେ ଭ୍ରଷ୍ଟ ହୋଇଯିବେ। ତେଣୁ ଭଲ ହେବ ସେହି ସୁନା ମୋହରକୁ ଏକ ଗାତ ଖୋଳି ପୋତି ପକାଏ। ତେଣୁ ସେ ସେହି କାମରେ ଲାଗିପଡ଼ିଲେ।
ଗଛ ମୂଳରେ ବିଶ୍ରାମ କରୁଥିବା ବନ୍ଧୁ ଏହା ଦେଖିଲେ। ସାଧୁ ଜଣକ କ’ଣ କରୁଛନ୍ତି ବୋଲି ତାଙ୍କ ମନରେ କୌତୂହଳ ଜାଗ୍ରତ ହେଲା। ତେଣୁ ସେ ସେଠାକୁ ଗଲେ। ସୁନା ମୋହରକୁ ପୋତୁଥିବା ସାଧୁ ଏହା ଦେଖି ଅପ୍ରତିଭ ହୋଇଗଲେ।
ବନ୍ଧୁ ପଚାରିଲେ- ଭାଇ କ’ଣ କରୁଥିଲ କି?
ସୁନା ମୋହର ପୋତୁଥିବା ସାଧୁ କଦାପି ମିଛ କହନ୍ତି ନାହିଁ। ସେ କହିଲେ- ମୁଁ ଗୋଟିଏ ସୁନା ମୋହର ପଡ଼ିଥିବାର ଦେଖିଲି। ଏହା ସିନା ମୋ ମନରେ କୌଣସି ଲୋଭ ଜାତ କଲା ନାହିଁ, କିନ୍ତୁ ତୁମ ବିଷୟରେ ମୁଁ ନିଶ୍ଚିତ ନ ଥିଲି। ତେଣୁ ଭାବିଲି କାଳେ ଏହା ତୁମ ମନରେ ଲୋଭ ସୃଷ୍ଟି କରିବ ଓ ତୁମର ସାଧନା ବ୍ୟର୍ଥ ଯିବ! ସେଥି ଲାଗି ମୁଁ ତାକୁ ପୋତି ପକାଉଥିଲି।
ଏହା ଶୁଣି ତାଙ୍କ ବନ୍ଧୁ ହସିଲେ ଓ କହିଲେ- ଭାଇ ତୁମକୁ ସୁନା ମୋହରଟି ଦେଖାଗଲା?