ଶିକ୍ଷକ ପିଲାମାନଙ୍କୁ ପଚାରିଲେ- ରକେଟ୍‌ କେମିତି ଉଚ୍ଚରୁ ଆହୁରି ଉଚ୍ଚକୁ ଉଠିପାରେ, ଜାଣିଛ?

Advertisment

ପିଲାମାନେ ଆଗ୍ରହରେ ଶୁଣିବାକୁ ଚାହିଁଲେ, କାରଣ ଶିକ୍ଷକ ସର୍ବଦା ଏଭଳି ଭାବେ ଗପଟିଏ କହନ୍ତି।

ଶିକ୍ଷକ କହିଲେ- ରକେଟ୍‌ର ତଳ ଭାଗରେ ଥାଏ ଇନ୍ଧନ ଭରା ପାତ୍ର। ସେଥିରେ ନିଆଁ ଲାଗିଲେ ତାହା ଜଳି ଉଠେ ଓ ତହିଁରୁ ଶକ୍ତିି ବାହାରି ରକେଟ୍‌କୁ ଉପରକୁ ଉଠାଇ ନିଏ। ଗୋଟିଏ ପାତ୍ରରୁ ଇନ୍ଧନ ସରିଗଲେ, ଆଉ ଗୋଟିଏ ପାତ୍ରର ଇନ୍ଧନ ଜଳେ ଓ ରକେଟ୍‌ଟିକୁ ଆହୁରି ଉପରକୁ ଉଠାଇ ନିଏ। ଏମିତି ରକେଟ୍‌ ଉଚ୍ଚରୁ ଉଚ୍ଚକୁ ଉଠିଥାଏ। କିନ୍ତୁ ଇନ୍ଧନ ସରିଗଲା ପରେ ଖାଲି ପାତ୍ରର ଓଜନ ଅଯଥାରେ କାହିଁକି ରକେଟ୍ ବୋହିବାକୁ ବାଧ୍ୟ ହେବ ବୋଲି ବିଚାର କରି ବୈଜ୍ଞାନିକମାନେ ଏମିତି ବ୍ୟବସ୍ଥା କରିଥାଆନ୍ତି, ଯାହା ଫଳରେ ଖାଲି ପାତ୍ରଗୁଡ଼ିକ ଖସିପଡ଼େ।

ଏହା କହି ଶିକ୍ଷକ ପିଲାମାନଙ୍କୁ ପଚାରିଲେ ଏଥିରୁ କ’ଣ ଗୂଢ଼ ଅର୍ଥ ପାଇଲ?

ପିଲାମାନେ ନିରବ ରହିଲେ। ଶିକ୍ଷକ କହିଲେ- ଜୀବନରେ ଦୁଃଖକଷ୍ଟ ଆମକୁ ଜଳାଏ। ସେହି ଜ୍ବଳନ କିନ୍ତୁ ଆମକୁ ଶକ୍ତି ଦେଇ ଅଧିକ ଶକ୍ତିଶାଳୀ କରେ। ଆମେ ଆଗକୁ ବଢ଼ିବା ଲାଗି ନିଜକୁ ଆହୁରି ଦୃଢ଼ କରିପାରୁ। କିନ୍ତୁ ଆଗକୁ ବଢୁଥିବା ବେଳେ ଯଦି ସେହି ଦୁଃଖକଷ୍ଟ ଆମକୁ ଭାରାକ୍ରାନ୍ତ କରି ରଖେ, ତେବେ ତାହା ଆମର ଅଗ୍ରଗତିକୁ ଶିଥିଳ କରି ଦିଏ। ତେଣୁ ଆଗକୁ ବଢୁଥିବା ବେଳେ ଦୁଃଖକଷ୍ଟକୁ ଫିଙ୍ଗି ଦେବାକୁ ହେବ। ରକେଟ୍‌ର ପ୍ରଯୁକ୍ତି ଆମକୁ ଏହି ଶିକ୍ଷା ଦେଇଥାଏ।