ମନ୍ଦିର ଓ ଦୋକାନ

କଥାଟିଏ - ଯାଯାବର

ଜଣେ ଦୋକାନୀ ପ୍ରତି ଦିନ ସକାଳୁ ଘରୁ ବାହାରି ପ୍ରଥମେ ମନ୍ଦିରକୁ ଯାଉଥିଲେ ଏବ˚ ତା’ ପରେ ଯାଇ ଦୋକାନ ଖୋଲୁଥିଲେ। ଲୋକେ ତାଙ୍କୁ ଧର୍ମାତ୍ମା ଓ ଅତ୍ୟନ୍ତ ଈଶ୍ବର ଭକ୍ତ ବୋଲି ବିଚାର କରୁଥିଲେ। କିନ୍ତୁ ହଠାତ୍‌ ଦିନେ ସେ ମନ୍ଦିର ଯିବା ବନ୍ଦ କରିଦେଲେ। ଘରୁ ବାହାରି ସିଧା ଦୋକାନକୁ ଗଲେ। ଏହା ଦେଖି ତାଙ୍କ ପରିଚିତମାନେ ବିସ୍ମିତ ହେଲେ। ସେମାନେ ଭାବିଲେ ଯେ ନିଶ୍ଚିତ କୌଣସି ଏକ ଘଟଣା ଘଟିଛି, ଯାହା ଫଳରେ ସେ ନାସ୍ତିକ ହୋଇଯାଇଛନ୍ତି।

ଦିନକର କଥା। ତାଙ୍କର ଜଣେ ପ୍ରିୟ ମିତ୍ର ତାଙ୍କ ଅଭ୍ୟାସରେ ଏଭଳି ପରିବର୍ତ୍ତନର କାରଣ ବାବଦରେ ପଚାରିଲେ। ସେ ପଚାରିଲେ- ନିଶ୍ଚୟ କିଛି ଘଟିଛି। ତା ହୋଇ ନ ଥିଲେ ବର୍ଷ ବର୍ଷ ଧରି ମନ୍ଦିର ଯିବାର ଅଭ୍ୟାସ ଛାଡ଼ିଲ କେମିତି?

ଦୋକାନୀ କହିଲେ- ଗୋଟିଏ ଘଟଣା ଘଟିଗଲା। ମୁଁ ସବୁ ଦିନ ଭଳି ମନ୍ଦିରକୁ ଯାଇ ପ୍ରଣାମ କରିବା ପୂର୍ବରୁ ଅଭ୍ୟାସବଶତଃ ମୋ ଅଣ୍ଟାରେ ଝୁଲୁଥିବା ଦୋକାନର ଚାବିକୁ ସେ ଦିନ ବି ପରଖି ନେଲି। ତା’ ପରେ ପ୍ରଣାମ କରି ଉଠିଲା ବେଳକୁ ସେଠାରେ ବସିଥିବା ଜଣେ ସାଧୁ ମୋତେ କହିଲେ- ବାବା, ତୁମେ ନିଜ ଦୋକାନକୁ ମନରେ ଧରି ମନ୍ଦିର ଆସୁଛ କାହିଁକି? ସେମିତିରେ କିଛି ଲାଭ ନାହିଁ। ତୁମେ ତୁମ ଦୋକାନ ଚାବି ଅଣ୍ତାଳିବା ଦେଖି ମୁଁ ସବୁ ବୁଝିପାରିଛି। ତୁମେ ଏହାର ବିପରୀତଟି କର। ତୁମେ ମନ୍ଦିର ନ ଆସି ଦୋକାନକୁ ଯାଅ। ଦୋକାନ ଖୋଲି ନିଜ ଆସନରେ ବସି ଠାକୁରଙ୍କୁ ପ୍ରଣାମ କର, ଦେଖିବ ତୁମ ହୃଦୟରେ ମନ୍ଦିର ପ୍ରତିଭାତ ହେବ। ତାହା ହେଲେ ତୁମ ଦୋକାନରେ ଈଶ୍ବର ଉପସ୍ଥିତ ହେବେ।

ସତକୁ ସତ ତାହା କଲି ଏବ˚ ତାହା ହିଁ ହେଲା। ଏବେ ବୁଝିଲି ଏ ପର୍ଯ୍ୟନ୍ତ ମୁଁ କେବେ ହେଲେ ମନ୍ଦିର ଯାଉ ନ ଥିଲି। ସର୍ବଦା ବଜାରରେ ହିଁ ମୋର ମନ ରହୁଥିଲା।

ସମ୍ବନ୍ଧିତ ଖବର