ପ୍ରକୃତି କେବେ ଯିବ ନାହିଁ

କଥାଟିଏ - ଯାଯାବର

ଜଣେ ଦୁଷ୍ଟ ଲୋକ ଥିଲା। ସ୍ବଭାବତଃ ସେ ଥିଲା ଭାରି ହି˚ସ୍ର। ଲୋକଙ୍କୁ କଥା କଥାରେ ବାଡ଼ିଆପିଟା କରୁଥିଲା। କାହା କଥା ଶୁଣୁ ନ ଥିଲା।

ଦିନକର କଥା। ସେ ଜଣେ ସାଧୁଙ୍କ ସ˚ସ୍ପର୍ଶରେ ଆସିଲା। ତା’ ପରେ ତା ମନରେ କ’ଣ ଆସିଲା କେଜାଣି ସେ ଘରକୁ ଫେରି ଆସି ପତ୍ନୀ ସାମନାରେ ଘୋଷଣା କଲା ଯେ ସେ ଖରାପ କାମ କରିବା ଛାଡ଼ି ଦେଇଛି। ସ୍ବାମୀର ଏଭଳି ହୃଦୟ ପରିବର୍ତ୍ତନ ଦେଖି ପତ୍ନୀ ମନର ଖୁସି କହିଲେ ନ ସରେ।

ସତକୁ ସତ ସେଇ ଲୋକର ବ୍ୟବହାର ବଦଳିଗଲା। ସେ ଆଗ ଭଳି ଅନ୍ୟର ଅନିଷ୍ଟ କରିବା ଦେଖାଗଲା ନାହିଁ। ନିଜର ଆଚରଣ ବି ବଦଳାଇ ଦେଲା। କେବଳ ସେ ଯେ ଭଲ ଲୋକରେ ପରିଣତ ହେଲା, ତାହା ନୁହେଁ, ତାର ପୋଷାକପତ୍ର ମଧୢ ବଦଳିଗଲା। ସେ ଜଣେ ସନ୍ନ୍ୟାସୀ ଭଳି ଦିଶିଲା।

ଥରେ ତାର ପତ୍ନୀ ତାକୁ ପଚାରିଲା- ତୁମେ କ’ଣ ସତରେ ଭଲ ହୋଇଯାଇଛ?

ସେ ଲୋକ କହିଲା- ତୁମର କ’ଣ ଆହୁରି ସନ୍ଦେହ ଅଛି?

ପତ୍ନୀ କହିଲା- ନା, ହେଲେ ଗୋଟିଏ କଥା ପଚାରିବି ପଚାରିବି ବୋଲି ଭାବୁଛି ପଚାରି ପାରୁ ନାହିଁ। ତାହା ହେଲା, ତୁମେ ଯଦି ସତରେ ଭଲ ହୋଇଯାଇଛ, ତେବେ ତୁମେ ସଦାବେଳେ ନିଜ ପାଖରେ ଚାରି ହାତିଆ ମୂଳି ବାଉଁଶ ଠେଙ୍ଗା କାହିଁକି ରଖିଛ? ତାକୁ ଛାଡ଼ି ଦେଉନା? ତୁମ ଗୁଣ ସହିତ ତାହା ଖାପ ଖାଉନାହିଁ।

ଲୋକଟି କହିଲା- ମୁଁ ବୁଝୁଛି। ହେଲେ ମୁଁ ନାଚାର। ମୁଁ ସିନା ବଦଳି ଯାଇଛି। ହେଲେ, ଅନ୍ୟମାନେ ବଦଳିଛନ୍ତି କି? ମୁଁ ଯେଉଁମାନଙ୍କର କ୍ଷତି କରିଥିଲି ସେମାନେ ମୋତେ କ୍ଷମା କରିଛନ୍ତି କି? ସେଇଥି ଲାଗି ଏ ଠେଙ୍ଗା। ଯଦି ସେମାନଙ୍କ ଭିତରୁ କେହି କେବେ ମୋତେ ମାରିବାକୁ ଆସେ, ତେବେ ଏ ଠେଙ୍ଗାରେ ତାର ମୁଣ୍ତ ଫଟାଇବି।

ପତ୍ନୀ ବୁଝିଲା ଯେ ଯେତେ ଯାହା ହେଲେ ବି ପ୍ରକୃତି କେବେ ଯିବ ନାହିଁ।

ସମ୍ବନ୍ଧିତ ଖବର