ଚୈତନ୍ୟ ଉଦୟ

କଥାଟିଏ - ଯାଯାବର

ଜଣେ ନାସ୍ତିକ ବିଦ୍ୱାନ ଥିଲେ। ଈଶ୍ୱର ନାହାନ୍ତି ବୋଲି ତାଙ୍କ ତର୍କ ଦ୍ୱାରା ସେ ସମସ୍ତଙ୍କୁ ପରାସ୍ତ କରିପାରୁଥିଲେ।

ଦିନେ ସେ ଗୋଟିଏ ପୁଡ଼ା ବିହନ ପାଇଲେ। କଳା ରଙ୍ଗର ଛୋଟ ଛୋଟ ମଞ୍ଜି। ବିଦ୍ୱାନ ଜଣକ ସେସବୁକୁ ଫୋପାଡ଼ି ଦେବାକୁ ବସିଥିଲେ। କିନ୍ତୁ ତାଙ୍କ ପତ୍ନୀ କହିଲେ- ଫିଙ୍ଗ ନାହିଁ। ଦିଅ ବଗିଚାରେ ବୁଣିଦେବି। ଦେଖିବା କି’ ଗଛ ହେଉଛି! କିଛି ଦିନ ପରେ ଗଛ ବାହାରିଲା। ସମସ୍ତଙ୍କୁ ଚକିତ କରି ସେଥିରେ ଫୁଟିଲା ସୁବାସିତ ଏବଂ ଅତ୍ୟନ୍ତ ଆକର୍ଷଣୀୟ ରଙ୍ଗର ଅନେକ ଫୁଲ। ବିଦ୍ୱାନଙ୍କୁ ବଗିଚାକୁ ଡାକି ତାଙ୍କ ପତ୍ନୀ ଫୁଲ ଦେଖାଇଲେ।

ତାହା ଦେଖିବା ପରେ ହଠାତ୍‌ ନାସ୍ତିକ ବିଦ୍ୱାନଙ୍କ ମନରେ ଜାତ ହେଲା ଅପୂର୍ବ ଭାବାନ୍ତର। ବର୍ଷ ବର୍ଷ ଧରି ସେ ପୋଷଣ କରି ଆସିଥିବା ଧାରଣା ଯେମିତି ଭୁଶୁଡ଼ି ପଡ଼ିଲା।

ସେ ନିଜ ପତ୍ନୀଙ୍କୁ କହି‌ଲେ- ଆଜି ବୁଝିପାରୁଛି ଯେ ନାସ୍ତିକ ଭାବେ ମୁଁ ଯେତେବେଳେ ଯୁକ୍ତି କରିଥାଏଁ, ସେତିକି ବେଳେ ମୁଁ କେବଳ ବୀଜକୁ ଦେଖି ତା’ରି ଆଧାରରେ ଯୁକ୍ତି କରିଥାଏ। ଗୋଟିଏ ବୀଜକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଲେ ବି ତା’ ଭିତରେ କୌଣସି ଠାରେ ଏଭଳି ଆକର୍ଷଣୀୟ ଫୁଲର ସମ୍ଭାବନା ଦିଶି ନ ଥାଏ। କିନ୍ତୁ, ଦେଖ ସେହି ବୀଜ ଭିତରେ ତାହା ଲୁକ୍କାୟିତ ଥାଏ ବୋଲି ତ ପ୍ରସ୍ଫୁଟିତ ହୋଇପାରେ। ଆଜି ବୁଝିଲି ମୋ ଜ୍ଞାନ କେବଳ ବୀଜକୁ ନେଇ ଗବେଷଣା କରିବାର ଜ୍ଞାନରେ ସୀମିତ। ଆଜି ବୁଝିଲି ଈଶ୍ବରଙ୍କ ସତ୍ତା ଏତେ ଗଭୀର ସ୍ଥଳରେ ରହିଛି ଯେଉଁଠି ମଣିଷର ଜ୍ଞାନ ପହଞ୍ଚି ପାରିବା କଷ୍ଟକର ବ୍ୟାପାର।

ସମ୍ବନ୍ଧିତ ଖବର

Comments are closed.