ଜଣେ ଭଦ୍ର ବ୍ୟକ୍ତିଙ୍କ ମନ ସର୍ବଦା ବିଚଳିତ ରହିଲା। ସେ କଥା କଥାକେ ଅସ୍ତବ୍ୟସ୍ତ ହେଲେ, ସମସ୍ତଙ୍କୁ ରାଗିଲେ। ସେ ନିଜେ ମଧ୍ୟ ଏ ନେଇ ଲଜ୍ଜିତ ହେଉଥିଲେ। ତେଣୁ ଏଥିରେ ପରିବର୍ତ୍ତନ ଆଣିବା ଲାଗି ପରାମର୍ଶ ଲୋଡ଼ିଲେ। ଜଣେ ବନ୍ଧୁ କହିଲେ- ମନକୁ ଶାନ୍ତ ରଖିବା ଲାଗି ସବୁଠାରୁ ଭଲ ଉପାୟ ହେଲା ମନ୍ଦିର ଯିବା। ପ୍ରତି ଦିନ ମନ୍ଦିର ଯାଇ ସେଠାକାର ପରିବେଶରେ କିଛି ସମୟ ବିତାଅ। ଭଦ୍ର ବ୍ୟକ୍ତି ତାହା କଲେ। କିନ୍ତୁ ତାହା ବିଶେଷ ଲାଭ ଦେଲା ନାହିଁ।

Advertisment

ଏହି ସମୟ‌େର ତାଙ୍କ ବାପା ତାଙ୍କ ଘରକୁ ବୁଲି ଆସିଥାଆନ୍ତି। ଦିନେ ବାପା ବଗିଚାରେ ବୁଲୁଥିବା ବେଳେ ପୁଅ ଆସି ସେଇ କଥା କହି ମନକୁ ଶାନ୍ତ କରିବାର ଉପାୟ ବାବଦରେ ପଚାରିଲେ।

ବାପା କହିଲେ- ମୋତେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ତାହା ହେଲା ଏହି ଫୁଲ ଗଛରେ ଭଲ ଓ ବଡ଼ ଫୁଲ ପାଇବାକୁ ଚାହିଁଲେ ତୁମେ କିଭଳି ପଦକ୍ଷେପ ନେବ?

ଭଦ୍ରବ୍ୟକ୍ତି କହିଲେ- ଏହାର ମୂଳରେ ପ୍ରତ୍ୟହ ପାଣି ଦେବି, ସାର ଦେବି ବା ଦରକାର ହେଲେ କିଛି ଔଷଧ ମଧ୍ୟ ଦେବି।

ବାପା କହିଲେ- ସେଇ ଭଳି କଥା। ଫୁଲ ସିନା ଗଛ ଉପରେ ଫୁଟେ, କିନ୍ତୁ ତାହା ଫୁଲ ହେବାର ଯାତ୍ରା ଆରମ୍ଭ କରିଥାଏ ଚେରରୁ। ଚେରର ଯତ୍ନ ନେଲେ ଫୁଲ ବା ଫଳ ଭଲ ହୁଏ। ତୁମେ ପ୍ରତି ଦିନ ମନ୍ଦିର ଯାଉଛ। ତାହା ହେଲା ଗଛର ଚେରରେ ପାଣି ନ ଦେଇ ଫୁଲରେ ବା ଫଳରେ ପାଣି ବା ସାର ଦେଇ ଲାଭ ପାଇବାକୁ ଇଚ୍ଛା କରିବା ସହିତ ସମାନ। ତେଣୁ ତୁମ ମନ ବିଚଳିତ ହେଉଛି ଯଦି ପ୍ରଥମେ ନିଜର ମୂଳକୁ ମଜଭୁତ କର। ନିଜକୁ ମୂଳରୁ ହିଁ ବଦଳାଅ। ଦେଖିବ ମନ ଆପେ ଆପେ ଶାନ୍ତ ହେଉଛି।