ମଣିଷର ସୁଖ ଓ ଦୁଃଖ

କଥାଟିଏ - ଯାଯାବର

ସ˚ସାର ସର୍ଜନା ବେଳର କଥା।

ଭଗବାନ ମଣିଷ ଗଢ଼ିବାର ଦାୟିତ୍ବ ଦେଲେ ତାଙ୍କ ବୃଦ୍ଧ କାରିଗରଙ୍କୁ। ବୃଦ୍ଧ କାରିଗର ଦୁଇଟି ମଣିଷ ପିତୁଳା ଗଢ଼ି ଦେଲେ ଓ ପରବର୍ତ୍ତୀ ଆଦେଶ ଲାଗି ଭଗବାନଙ୍କ ପାଖକୁ ଗଲେ। ଭଗବାନ କହିଲେ- ଏ ଦୁଇଟି ପାତ୍ର ନିଅ। ଗୋଟିକରେ ଅଛି ସୁଖ ରସ, ଅନ୍ୟଟିରେ ଦୁଃଖ ରସ। ତୁମେ ସେଇ ରସରେ ପିତୁଳା ଦୁଇଟିକୁ ଭଲ ଭାବେ ଗାଧୋଇ ଦେଇ ସାରିଲା ପରେ ମୁଁ ସେମାନଙ୍କୁ ଜୀବନ ଦେବି।

କାରିଗର ପଚାରିଲେ- ଭଗବାନ, ଏହାର କାରଣ?

ଭଗବାନ କହିଲେ- ଏ ଦୁଇ ପିତୁଳା ଜୀବନ୍ୟାସ ପାଇ ସେମାନଙ୍କ ସନ୍ତାନସନ୍ତତି ଜରିଆରେ ଯେତେବେଳେ ସାରା ପୃଥିବୀରେ ବ୍ୟାପିଯିବେ, ସେତେବେଳେ ବଢ଼ିଆ କଥାଟିଏ ହେବ। ସେମାନେ ଖୁବ୍‌ ସୁଖରେ ରହିବେ। କାରଣ ଉଭୟ ସୁଖ ଓ ଦୁଃଖର ରସରେ ଗାଧୋଇଥିବା ହେତୁ ସେମାନେ ଅନ୍ୟର ସୁଖରେ ସୁଖୀ ହେବେ ଓ ଦୁଃଖରେ ଦୁଃଖୀ ହେବେ। ଏହା ଠାରୁ ବଳି ଭଲ କଥା ଆଉ କଅଣ ଅଛି?

କିନ୍ତୁ ଭଗବାନଙ୍କ ଏ କଥା ଶୁଣି ଲୁଚି ରହିଥିବା ସଇତାନ ହସିଦେଲା। କାରଣ ସେ ଜାଣିଥିଲା ଭବିଷ୍ୟତ୍‌ରେ ଅସଲ ସ୍ଥିତି କ’ଣ ହେବ?

କାରିଗର ଭଗବାନଙ୍କ ଆଦେଶ ପାଳନ କଲେ। ଜୀବନ୍ୟାସ ପାଇ ପୃଥିବୀରେ ମଣିଷ ଜାତି ଜନ୍ମ ହେଲେ ଓ ବଢ଼ିଲେ। କିନ୍ତୁ ଦେଖାଗଲା ଈଶ୍ବରଙ୍କ ପୂର୍ବାନୁମାନ ଠିକ ହେଲା ନାହିଁ। ମଣିଷ ଉଭୟ ରସରେ ଗାଧୋଇଥିବାରୁ ନିଜର ସୁଖାନୁଭୂତି ବା ଦୁଃଖାନୁଭୂତି ପ୍ରକାଶ କଲା ସତ, କିନ୍ତୁ ଓଲଟା ବାଗରେ କଲା। ସେ ଅନ୍ୟର ସୁଖ ସହି ପାରିଲା ନାହିଁ, ସୁତରା˚, ଦୁଃଖୀ ହେଲା। ଅନ୍ୟର ଦୁଃଖରେ ନିଜେ ଦୁଃଖୀ ବୋଲି ଛଳନା କଲା ସିନା, କିନ୍ତୁ ମନରେ ସୁଖ ପାଇଲା।

ସମ୍ବନ୍ଧିତ ଖବର