ଈଶ୍ୱରଙ୍କ ବର

କଥାଟିଏ - ଯାଯାବର

ଜଣେ ତରୁଣ ତ୍ରିକାଳଦ୍ରଷ୍ଟା ହେବା ଲାଗି ନିଜ ଘର ପରିବାର ଛାଡ଼ି ତପସ୍ୟା କରିବାକୁ ଲାଗିଲେ। ଅନେକ ବର୍ଷ ତପସ୍ୟା କଲା ପରେ ହଠାତ୍‌ ତାଙ୍କ ସମ୍ମୁଖରେ ଉଭା ହେଲେ ସ୍ବୟ˚ ଭଗବାନ।

ଭଗବାନ ତାଙ୍କୁ କହିଲେ- ତୁମେ କି ବର ମାଗିବାକୁ ଚାହୁଛ ମାଗ।

ଯୁବକ ସେତେବେଳକୁ ପ୍ରୌଢ଼ତ୍ବର ଦ୍ବାରଦେଶରେ। ଏବ˚ ଇତିମଧୢରେ ତାଙ୍କର ଜ୍ଞାନ ଚକ୍ଷୁ ଖୋଲି ଯାଇଥାଏ।

ସେ କହିଲେ- ଏଇ ବର ଦିଅନ୍ତୁ ଯେମିତି ତପସ୍ୟା କରି ବା ଅନ୍ୟ କେଉଁ ମାର୍ଗରେ ହେଉ ପଛକେ ମଣିଷ ତ୍ରିକାଳଦ୍ରଷ୍ଟା ହେବାର ସାମର୍ଥ୍ୟ ଲାଭ ନ କରୁ।

ଭଗବାନ ବିସ୍ମିତ ହୋଇ ପଚାରିଲେ- ଏଭଳି ବର ମାଗୁଛ କାହିଁକି? ତୁମେ ପରା ନିଜେ ତ୍ରିକାଳଦ୍ରଷ୍ଟା ହେବା ଲାଗି ତପସ୍ୟା କରୁଛ!

ତପସ୍ବୀ କହିଲେ- ତପ ଆରମ୍ଭ କଲା ବେଳେ ମୋ ଲକ୍ଷ୍ୟ ତାହା ହିଁ ଥିଲା। କିନ୍ତୁ ଏବେ ବୁଝୁଛି ଯେ ମଣିଷ ଯଦି ତାହା ହୋଇଯାଏ, ତେବେ ସେ ଭବିଷ୍ୟତ୍‌ ଦେଖିପାରିବ। ତା’ର କଥା ବାସ୍ତବରେ ଫଳିଯିବ। ତା’ ପରେ ସେ ଧରାକୁ ସରା ମଣିବ। ଆପଣଙ୍କ ଦ୍ବାରା ରଚିତ ସ˚ସାରର ରହସ୍ୟ ଭେଦ କରିବାକୁ ଚାହିଁବ। ନିଜକୁ ଭଗବାନ ବୋଲି କହିବ। କାରଣ ତ୍ରିକାଳଦ୍ରଷ୍ଟା ହୋଇ ଦାୟିତ୍ବ ନିର୍ବାହ କରିବାକୁ ହେଲେ ଈଶ୍ବରଙ୍କ ଭଳି ଅନାସକ୍ତ ହେବାକୁ ପଡ଼ିବ, ଯାହା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ।

ଭଗବାନ କହିଲେ- ତାହା ହିଁ ହେଉ।

ସମ୍ବନ୍ଧିତ ଖବର