ଋଣ ପରିଶୋଧ

କଥାଟିଏ - ଯାଯାବର

ଜଣେ ଯୁବକ ଭାଗ୍ୟର ତଲାସରେ ରାଜଧାନୀକୁ ବାହାରିଲେ। ସଂଭ୍ରାନ୍ତ ବଂଶଜ ଯୁବକ ଜଣକ ଘୋଡ଼ା ପିଠିରେ ଯାଉଥିଲେ। ବାଟରେ ଅନ୍ଧାର ହୋଇଗଲା। କେଉଁଠି ଆଶ୍ରୟ ନେବେ ବୋଲି ଚିନ୍ତା କଲା ବେଳକୁ କିଛି ପାଇଲେ ନାହିଁ। ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆରେ ଆଶ୍ରୟ ଦେଲେ। ଉଚ୍ଚ କୁଳଶୀଳ ଯୁବକଙ୍କର ଯେମିତି କିଛି ଅସୁବିଧା ନ ହୁଏ, ସେଥିଲାଗି ସେ ନିଜେ ଉପାସ ରହିଲେ ଓ ବାହାରେ ଶୋଇଲେ, କିନ୍ତୁ ଯୁବକଙ୍କୁ ଖାଦ୍ୟ ଓ ଶଯ୍ୟା ଦେଲେ। ଗଲା ବେଳେ ଯୁବକ କହିଲେ ଏ ଋଣ ଶୁଝିପାରିବି ନାହିଁ।

ଅନେକ ବର୍ଷ ବିତିଗଲା। ଯୁବକ ଜଣକ ଅତ୍ୟନ୍ତ ସଫଳ ହୋଇ ଶେଷରେ ରାଜାଙ୍କ ମନ୍ତ୍ରୀ ବି ହେଲେ। ତେବେ ସେ ସେଇ ରାତି କଥା ଭୁଲି ନ ଥିଲେ। ତେଣୁ ସେ ଏବେ ସ୍ଥିର କଲେ ଯେ ସେହି ଦରିଦ୍ର ଲୋକଙ୍କ ପାଖକୁ ଯିବେ। ତ ଦିନେ ସେ ତାଙ୍କ ପାଖରେ ପହଞ୍ଚିଲେ ଓ ପଚାରିଲେ- ଚିହ୍ନି ପାରୁଛନ୍ତି?

ଦରିଦ୍ର ଲୋକ ଜଣକ ଉତ୍ତର ଦେଲେ- ଆଜ୍ଞା, ଆପଣ ହେଉଛନ୍ତି ଆମ ରାଜାଙ୍କ ମନ୍ତ୍ରୀ।

ଯୁବକ କହିଲେ- ତେବେ, ଆପଣ ସେଇ ତରୁଣକୁ ଭୁଲି ଯାଇଛନ୍ତି, ଯାହାକୁ ଆପଣ ଦରକାର ବେଳେ ଆଶ୍ରୟ ଦେଇଥି‌େଲ!

ଦରିଦ୍ର ବ୍ୟକ୍ତି ଜଣକ କହିଲେ- ନା। ମୁଁ ଭୁଲିନାହିଁ। ଆପଣଙ୍କ ସେ ଦିନର କଥା ବି ମୋର ମନେ ଅଛି।

ଏବେ ଯୁବକ କହିଲେ- ଧନ୍ୟବାଦ। ଏବେ ମୋର ଋଣ ଶୁଝିବାର ବେଳ। ଆପଣ ଯାହା ଚାହାନ୍ତି ମାଗନ୍ତୁ। ମୁଁ ଦେବି।

ଦରିଦ୍ର ଲୋକ କହିଲେ- ମୁଁ ଜାଣେ ଆପଣ ଦେଇ ପାରିବେ। କିନ୍ତୁ ଆପଣ ସେ ଋଣ ଶୁଝିପାରିବେ ନାହିଁ। କାରଣ ମୁଁ ଆପଣଙ୍କୁ ଯେତେବେଳେ କିଛି ଦେଇଥିଲି, ସେତିକି ବେଳେ ମୋ ପାଖରେ କିଛି ହିଁ ନ ଥିଲା। ମୋ ନିଜ ଠାରୁ କାଟି ଆପଣଙ୍କୁ ଦେଇଥିଲି। ଏବେ ଆପଣଙ୍କ ପାଖରେ ଏତେ ଅଛି ଯେ ଯାହା ଦେଲେ ବି ଆପଣଙ୍କୁ କୌଣସି ଫରକ ପଡ଼ିବ ନାହିଁ। ତେଣୁ ତାହା ଋଣ ପରିଶୋଧରେ ଯିବ ନାହିଁ।

ସମ୍ବନ୍ଧିତ ଖବର

Comments are closed.