ଗୋଟିଏ ଗାଁରେ କୁମ୍ଭାରଟିଏ ରହୁଥିଲା। ସେ ମାଟିରୁ କେବଳ ଚିଲମ ତିଆରି କରୁଥିଲା। ହାଟରେ ଚିଲମ ବିକି ସେ ଚଳୁଥିଲା।
ଦିନକର କଥା। ସେ ଚିଲମ ତିଆରି କରୁଛି। ଏଇ ସମୟରେ ତାର ସ୍ତ୍ରୀ ଆସି ତାକୁ କହିଲା- ଗୋଟିଏ କଥା ତୁମକୁ କହିବି କହିବି ହୋଇ ବହୁତ ଦିନ ହେଲାଣି ଭାବୁଛି। କହିବି କି?
କୁମ୍ଭାର କହିଲା- କୁହ।
ତାର ସ୍ତ୍ରୀ କହିଲା- ଏବେ ଖରା ଦିନ। ଉଦୁଉଦିଆ ଦ୍ବିପହରେ ତୁମେ ଚିଲମ ତିଆରି କରୁଛ। କାହିଁକି ତୁମେ ଚିଲମ ବଦଳରେ ସୁରେଇ ତିଆରି କରୁନା? ଚିଲମରେ ଲୋକେ ନିଆଁ ଧୂଆଁ ଟାଣି ଆହୁରି ତାତିଲା ହେଉଛନ୍ତି। ତୁମେ ସୁରେଇ ତିଆରି କର ଯେ ଲୋକେ ଥଣ୍ତା ପାଣି ପିଇ ଅନ୍ତତଃ ଶୀତଳ ହେବେ।
କୁମ୍ଭାର କିଛି ସମୟ ପାଇଁ କଥାଟିକୁ ଭାବିଲା। ସେ ଭାବିଲା ଯେ ସାରା ଜୀବନ ତ ଚିଲମ ତିଆରି କରି କାଟିଲି। ଏବେ ସତରେ କଅଣ ସୁରେଇ ତିଆରି କରିବି? ତେବେ ସ୍ତ୍ରୀ ଯେତେବେଳେ ଚାହୁଁଛି, ଥରେ ସୁରେଇ କରି ଦେଖେ।
ସେ କୁମ୍ଭାର ଚକ ଉପରେ ଟେଳାଏ କାଦୁଆ ମାଟି ଛାଟିଦେଇ ହାତକୁ ବୁଲେଇ ଆଣିଲା। ସୁନ୍ଦର ସୁରେଇ ଗଢ଼ି ହୋଇଗଲା। ତା ପର ଠାରୁ ସେ ସୁରେଇ ତିଆରି କରିବାରେ ଲାଗିଲା। ତାର ବିକ୍ରି ଆହୁରି ବଢ଼ିଗଲା।
ଦିନକର କଥା। ଖରା ଦିନ ଦ୍ବି ପହରେ ସେ ହାଟରୁ ଘରକୁ ଫେରି ସୁରେଇରୁ ପାଣି ପିଇବାକୁ ଯାଉଛି ତାକୁ ଲାଗିଲା ଯେ ସୁରେଇ ତାକୁ ଧନ୍ୟବାଦ ଦେଇ କିଛି କହୁଛି। ସତେ ଯେମିତି ସୁରେଇ କହୁଛି- ଧନ୍ୟବାଦ। ମୁଁ ସେଇ ଚିଲମ ଯାହାକୁ ତୁମେ ସୁରେଇରେ ପରିଣତ କଲ। ମୋର ଭାଗ୍ୟ ବଦଳାଇ ଦେଲ।
କୁମ୍ଭାର କହିଲା- ସେ କିଛି ନୁହେଁ। ଟିକିଏ ଭାବନାର ଧାରା ବଦଳାଇ ଦେଲି ତ ତୁ ତିଆରି ହୋଇଗଲୁ।
ସୁରେଇ କହିଲା- ଭାଗ୍ୟ ଆଉ କେମିତି ବଦଳେ କି? ଭାବନା ବଦଳାଇ ଦେଲେ ଭାଗ୍ୟ ବଦଳିଯାଏ।