ତର୍କରେ ବିଜୟ

କଥାଟିଏ - ଯାଯାବର

ଗୋଟିଏ ଜନପଦରେ ଦୁଇ ଜଣ ବିଶିଷ୍ଟ ଗୁରୁ ରହୁଥିଲେ। ସେମାନଙ୍କ ଭିତରେ ଭଲ ସ˚ପର୍କ ମଧୢ ଥିଲା। କିନ୍ତୁ ଥରେ ଦୁଇ ଗୁରୁଙ୍କ ଭିତରେ କୌଣସି ଏକ ତତ୍ତ୍ବକୁ ନେଇ ଯୁକ୍ତିତର୍କ ହେଲା। ତର୍କ ବଢ଼ିଲା। କିନ୍ତୁ ଦେଖାଗଲା ଯେ ଜଣେ ଗୁରୁ ନିରବ ପଡ଼ି ଯାଉଛନ୍ତି। ଅନ୍ୟ ଗୁରୁ ଜଣକ କିନ୍ତୁ ବଡ଼ ପାଟିରେ ନିଜ ତତ୍ତ୍ବଟି ଠିକ୍‌ ବୋଲି ସିଦ୍ଧ କରି କହୁଛନ୍ତି-ତୁମକୁ ମାନିବାକୁ ହେବ ଯେ ଏ ବିଷୟରେ ମୋର ପ୍ରବେଶ ତୁମ ଠାରୁ ଯଥେଷ୍ଟ ଅଧିକ। ତେଣୁ ତୁମେ ଚୁପ୍‌ ରହିବା ହିଁ ଭଲ।

ଠିକ୍‌ ସେଇ ଦିନ ଦୁଇ ଜଣ ଯୁବକ ଶିଷ୍ୟତ୍ବ ଗ୍ରହଣ କରିବା ଲାଗି ଗୁରୁଙ୍କ ତଲାସରେ ସେଇ ଜନପଦରେ ପହଞ୍ଚିଥିଲେ। ଅଗତ୍ୟା ସେମାନେ ତର୍କ ଚାଲିଥିବା ବେଳେ ଟିକିଏ ଦୂରରୁ ସବୁ କିଛି ଶୁଣିପାରିଲେ। ଏ ଘଟଣା ପରେ ଜଣେ ଯୁବକ ତାର ବନ୍ଧୁକୁ କହିଲା- ଭାଇ, ଯେଉଁ ଗୁରୁ ତର୍କରେ ଜିଣିଗଲେ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ। କିନ୍ତୁ ଅନ୍ୟ ବନ୍ଧୁ କହିଲା- ନାଇଁରେ ଭାଇ ମୁଁ ଚୁପ୍‌ ହୋଇଯାଇଥିବା ଗୁରୁଙ୍କ ଜ୍ଞାନ ଗରିମା ବିଷୟରେ ମଧୢ ବହୁତ ଶୁଣିଛି। ତେବେ ସେ କାହିଁକି ତର୍କରେ ଚୁପ୍‌ ପଡ଼ିଗଲେ ତାହା ବି ରହସ୍ୟଜନକ। ଚାଲ, ପ୍ରଥମେ ଏହି ରହସ୍ୟ ବିଷୟରେ ଜାଣିବା, ତା’ ପରେ କିଛି ନିଷ୍ପତ୍ତି ନେବା।

ସେମାନେ ସେଦିନ ସ˚ଧୢାରେ ତର୍କରେ ଚୁପ୍‌ ହୋଇଯାଇଥିବା ଗୁରୁଙ୍କୁ ଭେଟି ସନ୍ତର୍ପଣରେ ସେ ବିଷୟରେ ପଚାରିଲେ।

ଗୁରୁ କହିଲେ- କଥା ଜ୍ଞାନ ଗରିମା ଠାରେ ନାହିଁ। ଅସଲ କଥା ହେଲା, ଆମ ଯୁକ୍ତି ଯେଉଁ ଦିଗକୁ ଗତି କରୁଥିଲା, ସେଥିରେ ଅସଲ ତତ୍ତ୍ବ କଥା ପଛକୁ ରହି ଆମେ ଦୁଇ ଜଣ ନିଜ ଅହ˚ ଦ୍ବାରା ପରିଚାଳିତ ହୋଇ ନିଜେ ଠିକ୍‌ ବୋଲି ପ୍ରମାଣ କରି ଚାଲିଥାଆନ୍ତୁ। ତେଣୁ ନିରବ ରହିଯିବା ଆବଶ୍ୟକ ଥିଲା।

ଯୁବକ ଦ୍ବୟ ବୁଝିଲେ ତର୍କରେ ପ୍ରକୃତ ବିଜୟୀ କିଏ ଏବ˚ କାହାର ଶିଷ୍ୟ ହେବା ଉଚିତ।

ସମ୍ବନ୍ଧିତ ଖବର