ବାହାଘରର କିଛି ବର୍ଷ ପରେ ବୃଦ୍ଧ ଶାଶୂ ଶ୍ବଶୁରଙ୍କ ସେବାରେ ବହୁତ ସମୟ ଦେବା ପରେ କ୍ଳାନ୍ତଶ୍ରାନ୍ତ ଝିଅ ମାଆଙ୍କ ପାଖକୁ ଚିଠି ଲେଖିଲା- ମାଆ, ମୁଁ ଥକି ଗଲିଣି। ତୁମେ ଦେଇଥିବା ଶିକ୍ଷା ଓ ସ˚ସ୍କାର ମୋତେ ଶକ୍ତି ଦେଉଥିବା ହେତୁ ମୁଁ ମୋ କର୍ତ୍ତବ୍ୟ କରି ଚାଲିଛି। କିନ୍ତୁ ବେଳେ ବେଳେ ଲାଗୁଛି ବୋଧହୁଏ ମୁଁ ଆଉ ଅଧିକ କାଳ ଧରି କରିପାରିବି ନାହିଁ। ମୋର ସୁଖ ସ୍ବାଚ୍ଛନ୍ଦ୍ୟ ସବୁ କିଛି ମୁଁ ଭୁଲି ଯାଇଛି। ଅନ୍ୟମାନେ ଯାହା ସବୁ କରିପାରୁଛନ୍ତି, ମୁଁ ତାହା କରିପାରୁନାହିଁ। ମୋତେ ଥକ୍‌କା ଲାଗୁଛି। ବେଳେ ବେଳେ ବିରକ୍ତ ବି ଲାଗୁଛି। ଭାବୁଛି, ଆଉ କେତେ ଦିନ ଏମିତି ଚାଲିବ।

Advertisment

ମାଆ ଚିଠି ପାଇଲେ। ମାଆଙ୍କର ବି ବୟସ ହୋଇଯାଇଥିଲା। ତାଙ୍କୁ ବି ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଘାରୁଥିଲା। ସେ ଚିଠିଟି ପଢ଼ିଲା ପରେ ଟିକିଏ ସମୟ ଭାବି ଉତ୍ତର ଦେଲେ।

ସୁନା ଝିଅ, ମୁଁ ତୋ କଥା ବୁଝିପାରୁଛି। ଏଠି ମୋ ପାଖରେ ତୋ ଭଳି ବି ଜଣେ ଅଛି ସେବା କରିବା ଲାଗି। ତେଣୁ ତୋତେ ଏବେ ମୁଁ ଯଦି ମାଆର ସ୍ନେହରେ ଭାସି କିଛି କହିବି, ତେବେ ତାହା ମୋ ସେବା କରୁଥିବା ବୋହୂ ଲାଗି ଅବମାନନା ହୋଇପାରେ। ତେଣୁ ସେ ମୋତେ ଥରେ କହିଥିବା ଗୋଟିଏ ମୂଲ୍ୟବାନ କଥା ଲେଖୁଛି। ମୁଁ ତାକୁ ଦିନେ କହିଥିଲି- ବୋହୂ, ତୁମେ କାହିଁକି ଏତେ ସେବା କରୁଛ! ଅନ୍ୟମାନେ ତ ତୁମ ଭଳି କରୁନାହାନ୍ତି? ଉତ୍ତରରେ ସେ କହିଲା- ମାଆ, ଆପଣ ଯେତିକି ଭଲ ରହିବେ, ନିରୋଗ ରହିବେ, ମୁଁ ସେତିକି ଭଲରେ ରହିବି। ଆପଣଙ୍କର କିଛି ଅସୁବିଧା ହେଲେ, ଆପଣ ରୋଗବଇରାଗରେ ପଡ଼ିଲେ, ମୋର ବି କଷ୍ଟ ବଢ଼ିବ। ତେଣୁ ଆପଣଙ୍କୁ ସୁସ୍ଥ, ନିରୋଗ ଓ ପ୍ରଫୁଲ୍ଲ ରଖିବା ମୋ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେଥିଲାଗି ମୁଁ ଆପଣଙ୍କ ସେବା କରୁଛି। ଭଗବାନଙ୍କୁ ଡାକୁଛି ଆପଣ ଭଲରେ ରହନ୍ତୁ। ଆପଣଙ୍କୁ ଭଲରେ ରଖିବା ପଛରେ ମୋର ସ୍ବାର୍ଥ ହିଁ ଅଛି।