ରାଜା ବିକ୍ରମାଦିତ୍ୟ ସବୁ ଦିନ ଭଳି ରାଜସଭାରେ ବସିଥିବା ବେଳେ ଉପସ୍ଥିତ ହେଲେ ଜଣେ ଅତ୍ୟନ୍ତ ସାଧାରଣ ଦିଶୁଥିବା ସାଧୁ। ସେହି ସମୟରେ ରାଜାଙ୍କୁ ବିଭିନ୍ନ ଲୋକେ ଉପହାରମାନ ଦେଉଥାଆନ୍ତି। ସେହି ସାଧୁ ସାଙ୍ଗରେ ଆଣିଥିବା ଗୋଟିଏ ଟାଆଁସା ଜଙ୍ଗଲୀ ଫଳକୁ ଉପହାର ଭାବେ ରାଜାଙ୍କୁ ପ୍ରଦାନ କଲେ ଏବଂ ନିରବରେ ଚାଲିଗଲେ। ଉଭୟ ସାଧୁ ଓ ତାଙ୍କ ଉପହାର ଅନାକର୍ଷଣୀୟ ଥିଲେ। ସୁତରାଂ, ରାଜା ସେହି ଫଳକୁ ପାଖରେ ଥିବା ପରିଚାରକକୁ ଧରାଇ ଦେଲେ। ପର ଦିନ ମଧ୍ୟ ସାଧୁ ଆସିଲେ ଓ ସେମିତି ଫଳଟିଏ ଦେଇ ଚାଲିଗଲେ। ରାଜା ପୁଣି ଯନ୍ତ୍ରବତ୍ ତାକୁ ପରିଚାରକ ଜଣଙ୍କୁ ଧରାଇ ଦେଲେ। ଏମିତି ଚାଲିଲା ଦଶ ବର୍ଷ।
ଦଶ ବର୍ଷ ପରେ ଦିନେ ରାଜା ଫଳଟି ପାଇ ପରିଚାରକକୁ ଦେବା ବଦଳରେ ନିକଟେର ଥିବା ପୋଷା ମାଙ୍କଡ଼କୁ ଦେଇଦେଲେ। ମାଙ୍କଡ଼ ତାକୁ କାମୁଡ଼ି ଦିଅନ୍ତେ େସଥିରୁ ଝଡ଼ି ପଡ଼ିଲା ଏକ ବିରାଟ ହୀରା। ରାଜା ଚମକି ପଡ଼ିଲେ। ୟେ କ’ଣ? ତା’ ଅର୍ଥ ଗତ ଦଶ ବର୍ଷ ଧରି ସାଧୁ ଏଭଳି ଫଳ ଦେଇ ଚାଲିଥିଲେ? ପରିଚାରକଙ୍କୁ ଡକରା ହେଲା। ସେ ରାଜାଙ୍କ ଦ୍ବାରା ଦିଆଯାଉଥିବା ଫଳକୁ ଫୋପାଡ଼ି ଦେବାକୁ ସାହସ ନ କରି ଗୋଟିଏ ବନ୍ଦ ଘର ଭିତରକୁ ଫୋପାଡ଼ି ଦେଉଥିଲେ। ଏବେ ସେହି ଘର ଖୋଲାଗଲା। ଘରେ ଦେଖିବାକୁ ମିଳିଲା ପଚା ଫଳର ସ୍ତୂପ ଯାହା ଭିତରେ ଝଲସୁ ଥିଲା ଅସଂଖ୍ୟ ହୀରା।
ପର ଦିନ ସାଧୁ ପୁଣି ଆସିଲେ। ଏବେ ରାଜା ତାଙ୍କୁ ଅଟକାଇ ପଚାରିେଲ- ଏଭଳି ଉପହାର ପଛରେ ରହସ୍ୟ କ’ଣ?
ସାଧୁ କହିଲେ- ଜୀବନ ପ୍ରତି କ୍ଷଣ ତୁମକୁ ଏମିତି ଜଙ୍ଗଲୀ ଫଳ ରୂପରେ ଅଜସ୍ର ସୁଯୋଗ ଦେଇ ଚାଲିଛି। କିନ୍ତୁ ତୁମେ ହୋସରେ ନ ଥାଅ ବୋଲି ସବୁ ସୁଯୋଗ ହାତ ଛଡ଼ା ହୋଇଯାଏ। ତେଣୁ ତୁମକୁ ଜାଗ୍ରତ କରିବା ଥିଲା ମୋର ଉଦ୍ଦେଶ୍ୟ। ତୁମେ ଏବେ ଜାଗ୍ରତ ହେଲ।
କାହାଣୀ ଆହୁରି ଆଗକୁ ଲମ୍ବିଛି। କିନ୍ତୁ କଥାଟିଏ ଲାଗି ଏତିକି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)