ସୁନ୍ଦର ଅକ୍ଷର
କଥାଟିଏ - ଯାଯାବର
ଜାପାନର କ୍ୟୋଟୋ ସହରର ଓବାକୁ ମନ୍ଦିରକୁ ବହୁତ ପର୍ଯ୍ୟଟକ ଆସନ୍ତି। ସେଇ ମନ୍ଦିରର ବିଶାଳ ଫାଟକ ଉପରେ ବଡ଼ ବଡ଼ ହରଫରେ ଖୋଦେଇ କରି ଲେଖାଯାଇଛି- ଦ ଫାଷ୍ଟ ପ୍ରିନ୍ସିପଲ୍ ବା ପ୍ରଥମ ନୀତି। ତାହା ଜାପାନୀ ଅକ୍ଷରରେ ଲେଖାଯାଇଛି। କିନ୍ତୁ ତାହା ଏତେ ସୁନ୍ଦର ଅକ୍ଷରରେ ଲେଖାଯାଇଛି ଯେ ତାକୁ ପ୍ରଶ˚ସା ନ କରି ରହିହେବନାହିଁ। କେବଳ ସେଇ ଲେଖାକୁ ଦେଖିବା ଲାଗି ଅନେକ ପର୍ଯ୍ୟଟକ ମନ୍ଦିରକୁ ଆସନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ଲେଖାକୁ ଆଜିକୁ କେତେ ଶହ ବର୍ଷ ପୂର୍ବେ ଲେଖିଥିଲେ ଜଣେ ଜାପାନୀ ସାଧକ। ତାଙ୍କ ନାମ ଥିଲା କୋସେନ୍। ସେ ଥିଲେ ଜଣେ ଗୁରୁ। କଥା ହେଲା, କୋସେନ୍ ଗୋଟିଏ କାଗଜରେ ସେଇ ଧାଡ଼ିକ ଲେଖିବେ। ତାକୁ ଦେଖି ଜଣେ ବିଚକ୍ଷଣ ଶିଳ୍ପୀ କାଠରେ ତାର ଅବିକଳ ପ୍ରତିରୂପକୁ ଖୋଦେଇ କରିବ।
କୋସେନ୍ ଗୋଟିଏ କାଗଜରେ ଲେଖିବା ଆରମ୍ଭ କଲେ। ସେ ତାଙ୍କୁ ସାହାଯ୍ୟ କରିବାକୁ କେବଳ ଜଣେ ମାତ୍ର ଶିଷ୍ୟକୁ ନେଲେ। ଶିଷ୍ୟଟି ଲେଖା ଲାଗି କାଳି ତିଆରି କରୁଥିଲା ଏବ˚ ଗୁରୁଙ୍କ ଲେଖାକୁ ଦେଖୁଥିଲା।
ଗୁରୁ ପ୍ରଥମ ଲେଖାଟି ଲେଖିସାରି ତାକୁ ପଚାରିଲେ- କେମିତି ହୋଇଛି? ଶିଷ୍ୟ କହିଲା- ଭଲ ହୋଇନି। କୋସେନ୍ ଆଉ ଥରେ ଲେଖିଲେ। ଏଥର ଶିଷ୍ୟ କହିଲା- ବାଜେ ହୋଇଛି। କୋସେନ୍ ଆଉ ଥରେ ଲେଖିଲେ। ସେ ଥର ବି ଶିଷ୍ୟ କହିଲା- ପୂର୍ବ ଦୁଇଟି ଠାରୁ ଆହୁରି କଦର୍ଯ୍ୟ। ଏଥର କୋସେନ୍ ଲେଖି ଚାଲିଲେ, ଶିଷ୍ୟ ନାକଚ କରି ଚାଲିଲା। ଏମିତି ଚଉରାଅଶୀଟି ପ୍ରତ୍ୟାଖ୍ୟାତ ଲେଖା ନିଜ ଚାରିପଟେ ଗଦେଇ ହାଲିଆ ହୋଇ ବସିଗଲେ। ଏଇ ସମୟରେ କୌଣସି ଏକ କାମ ଲାଗି ଶିଷ୍ୟଟି କିଛି ସମୟ ପାଇଁ ବାହାରକୁ ଚାଲିଗଲା।
କୋସେନ୍ ମନକୁ ମନ କହିଲେ- ଏବେ ସେ ନାହିଁ, ତାର ତୀକ୍ଷ୍ଣ ନଜରରୁ ମୁକ୍ତି ମିଳିଛି। ଯାଏ ଏବେ ଗୋଟିଏ ଗାରେଇ ଦିଏ।
ସେ ମନ ଖୁସିରେ ସେଇ ଧାଡ଼ିଟି ଲେଖିଦେଲେ। ଲେଖା ସରିଲା ପରେ ଶିଷ୍ୟଟି ପହଞ୍ଚିଗଲା। ସେ ଦେଖି ଚିତ୍କାର କଲା- ଅତି ଚମତ୍କାର।
ଏଥିରୁ ସେ ବୁଝିପାରିଲେ ଯେ ମୁକ୍ତ ଆନନ୍ଦର ସହ କରାଯାଇଥିବା କାମ ସର୍ବୋତ୍ତମ ହୋଇଥାଏ।