ରାଣୀଙ୍କ ଦ୍ୱନ୍ଦ୍ୱ

କଥାଟିଏ - ଯାଯାବର

ଥରେ ରାଜା ଦୁଇ ରାଜପୁତ୍ରଙ୍କୁ ସାଙ୍ଗରେ ଧରି ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ସାଙ୍ଗରେ ଥିଲେ ରାଣୀ। ଗୁରୁଙ୍କ ହାତରେ ନିଜ ଦୁଇ ପୁତ୍ରଙ୍କୁ ସମର୍ପି ଦେଇ କହିଲେ ଅବାଟରେ ଯାଉଥିବା ମୋର ଦୁଇ ରାଜପୁତ୍ରଙ୍କୁ ସୁଧାରି ଦିଅନ୍ତୁ। ଗୁରୁ ତାହା କରିବେ ବୋଲି ରାଜାଙ୍କୁ ଆଶ୍ବାସନା ଦେଲେ। ତେବେ ରାଣୀ ଏଇ ସମୟରେ ଗୁରୁଙ୍କୁ କହିଲେ- ଗୁରୁଦେବ, ମୋ ମନରେ ଗୋଟିଏ ସ˚ଶୟ ରହିଛି। ତାହା ହେଲା ଏଠାକାର ପରିବେଶକୁ ନେଇ। ଆପଣ ଏଠି ସବୁ ଜାତିର ପିଲାଙ୍କୁ ରଖି ଶିକ୍ଷା ଦେଉଛନ୍ତି। କିନ୍ତୁ ଏହା ଭଲ ଗୁରୁକୁଳର ଲକ୍ଷଣ ନୁହେଁ। ଆପଣ କେବଳ ଉଚ୍ଚବର୍ଣ୍ଣର ପିଲାମାନଙ୍କୁ ନିଜ ଆଶ୍ରମରେ ଶିକ୍ଷା ଦେବା ଦରକାର।

ଗୁରୁ କହିଲେ- ଆପଣଙ୍କ ମନରେ ଏଭଳି ଧାରଣା ହେବାର ହେତୁଟି କ’ଣ?

ରାଣୀ କହିଲେ- ନୀଚ ବର୍ଣ୍ଣର ଲୋକେ ଯେଉଁ କାମ କରନ୍ତି, ତଦ୍ଦ୍ବାରା ସେମାନେ ନିଜେ ଅପରିଚ୍ଛନ୍ନ ରହନ୍ତି ଏବ˚ ସେମାନଙ୍କ ପରିବେଶକୁ ଅପରିଚ୍ଛନ୍ନ କରନ୍ତି। ଆପଣଙ୍କ ଆଶ୍ରମର ଅନ୍ୟମାନେ ଏଥିରେ ଆକ୍ରାନ୍ତ ହେବେ ନାହିଁ କି?

ଗୁରୁ କହିଲେ- ଆପଣଙ୍କ ଦୁଇ ପୁଅ ଅବାଟରେ ଯାଉଛନ୍ତିି ବୋଲି ସେମାନଙ୍କୁ ସୁଧାରିବାର ଦାୟିତ୍ବ ଆପଣ ମୋତେ ଦେଇଛନ୍ତି। ମୁଁ ସେମାନଙ୍କ ମନରୁ ଏବ˚ ଆଚରଣରୁ ମଇଳା ବାହାର କଲେ ଯାଇ ସେମାନେ ପରିଷ୍କାର ହେବେ। କିନ୍ତୁ ତା’ ବୋଲି ସେମାନଙ୍କ ମନର ମଇଳାରେ ମୁଁ ଅପରିଚ୍ଛନ୍ନ ହୋଇଯିବି ବୋଲି ଆପଣ ବିଚାର କରୁଛନ୍ତି କି? ମୁଁ ତ ବର୍ଷ ବର୍ଷ ଧରି ଏଇ କାମ କରୁଛି! ଆପଣ ମନେ ରଖନ୍ତୁ ମଇଳା ସଫା କଲେ କେହି ଅପରିଚ୍ଛନ୍ନ ହୁଏନା, ବର˚ ସେ ପରିବେଶକୁ ପରିଷ୍କାର ରଖେ। ଯେଉଁମାନଙ୍କ ଦ୍ବାରା ସୃଷ୍ଟ ମଇଳା ସେ ସଫା କରେ ସେମାନେ ପ୍ରକୃତରେ ଅପରିଚ୍ଛନ୍ନ।

ସମ୍ବନ୍ଧିତ ଖବର

Comments are closed.