ନୈତିକ ଜୀବନର ମୂଳଦୁଆ

କଥାଟିଏ - ଯାଯାବର

ସହରରେ ଥିଲେ ଜଣେ ନୀତିବାନ ଶିକ୍ଷକ। ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢ଼ି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ। ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା। କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା। ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ବିତ ହେଲେ ଏବ˚ ଛାତ୍ରକୁ ଆଉ ତାଙ୍କ ପାଖକୁ ନ ଆସିବାକୁ ଚରମ ବାଣୀ ଶୁଣାଇ ଦେଲେ। ମିଥ୍ୟାବାଦୀକୁ କ୍ଷମାର ପ୍ରଶ୍ନ ନାହିଁ ବୋଲି ଶୁଣାଇ ଦେଲେ।

ଏହାର କିଛି ଦିନ ପରେ ଶିକ୍ଷକଙ୍କ ବାପା ତାଙ୍କ ଘରକୁ ବୁଲି ଆସିଲେ। ବାପାଙ୍କ ସହିତ ଗପୁ ଗପୁ ଶିକ୍ଷକ ଏ କଥାଟି ଉଠାଇ କହିଲେ ଯେ ସେ ନୀତିନିଷ୍ଠ ଜୀବନକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ସେଇ ଛାତ୍ରଟିର ଉଦାହରଣ ଦେଇ ସେ କହିଲେ ଯେ ସେ ଥିଲା ତାଙ୍କର ସବୁଠାରୁ ପ୍ରିୟ ଛାତ୍ର। କିନ୍ତୁ, ଗୋଟିଏ ଛୋଟ ଅନୀତିକର କାର୍ଯ୍ୟ କରିଥିବାରୁ ସେ ତାକୁ ପରିତ୍ୟାଗ କରିଛନ୍ତି।

ଏ କଥା ଶୁଣି ବାପା କହିଲେ- ମୁଁ କିନ୍ତୁ ତୁମର ଏ ପ୍ରକାର ନିଷ୍ପତ୍ତି ସହିତ ଏକ ମତ ହୋଇପାରୁନାହିଁ। ଶିକ୍ଷକ ଏହା ଶୁଣି କହିଲେ- କିନ୍ତୁ ବାପା, ନୈତିକ ଜୀବନ ଯାପନ କରିବାର ଶିକ୍ଷା ଯଦି ମୁଁ କାହାଠାରୁ ପାଇଥାଏ, ସେ ହେଉଛନ୍ତି ଆପଣ। ଅଥଚ ଆପଣ ମୋ ଠାରେ ତ୍ରୁଟି ଦେଖୁଛନ୍ତି?

ଏ କଥା ଶୁଣି ବାପା କହିଲେ- ବାବୁ, ତୁମେ ମୋ ନୀତିନିଷ୍ଠ ଜୀବନକୁ ଦେଖିଲ, କିନ୍ତୁ ତାର ଆଧାରକୁ ଦେଖିପାରିଲ ନାହିଁ। ତୁମେ ଆଜି ଯାହା ହୋଇଛ, ତାହା ଏକା ବେଳକେ ହୋଇ ଯାଇନାହଁ। କେହି ସେଭଳି ଏକା ଥରକେ ହୋଇ ଯାଆନ୍ତି ନାହିଁ। ଭୁଲ କରିବା ଓ ତା’ ପରେ ଅନୁତାପ କରି ସେହି ଭୁଲର ପୁନରାବୃତ୍ତି ନ କରିବା ହେଉଛି ନୈତିକ ଜୀବନ ଗଠନର ମୂଳଦୁଆ, ଯାହା ତୁମେ ନିଜ ପ୍ରିୟ ଛାତ୍ର ଠାରେ ଗଢ଼ି ପାରିଲ ନାହିଁ। ତୁମ ବିଚାର ଅତ୍ୟନ୍ତ ସ˚କୀର୍ଣ୍ଣ। ତାକୁ ସୁଧାର।

ସମ୍ବନ୍ଧିତ ଖବର