ଥରେ ଗୋଟିଏ ରାଜ୍ୟରେ ବିଦ୍ରୋହ ହେଲା। ରାଜପ୍ରାସାଦର କିଛି ଭୃତ୍ୟ ଅତି କଷ୍ଟରେ ରାଜାଙ୍କୁ ଏକ ଜଙ୍ଗଲରେ ଲୁଚିବା ଲାଗି ଛାଡ଼ି ଦେଲେ।
ଜଙ୍ଗଲ ଭିତରେ ଥକ୍କା ହୋଇ ରାଜା ବସି ପଡ଼ିଲେ। କାରଣ ସେ ତାଙ୍କ ଜୀବନରେ କେବେ କୌଣସି କଷ୍ଟକର କାମ କରି ନ ଥିଲେ। ରାଜା କ’ଣ କରିବେ ବୋଲି ଭାବୁଛନ୍ତି, ଏତିକି ବେଳେ ଜଣେ ବଣୁଆ ଲୋକ ସେଠାରେ ପହଞ୍ଚିଲେ। ରାଜାଙ୍କ ଠାରୁ ସବୁ ଶୁଣିବା ପରେ ସେ କହିଲେ- ମହାରାଜ, ଭୟ କରନ୍ତୁ ନାହିଁ। ମୁଁ ଆପଣଙ୍କୁ ଠିକ୍ ଚିହ୍ନିପାରିଛି। ଆମେ ଆଦିବାସୀମାନେ ଚିର ଦିନ ରାଜାଙ୍କ ଅନୁଗତ। ଏ ସ୍ଥାନ ସୁରକ୍ଷିତ ନୁହେଁ। ଆମକୁ ଅନେକ ବାଟ ଯିବାକୁ ହେବ।
ରାଜା ବିକଳ ଦିଶିଲେ। ଆଗନ୍ତୁକ କହିଲେ- ମଣିମା, ଚିନ୍ତା କରନ୍ତୁ ନାହିଁ। ଆପଣ ମୋ କାନ୍ଧରେ ବସନ୍ତୁ। ମୁଁ ନେଇଯିବି। ତା’ ପରେ ରାଜାଙ୍କୁ କାନ୍ଧରେ ବସାଇ ସେ ଆଗକୁ ଚାଲିଲେ। ଏମିତି ଦୁଇ ଦିନ ଯାତ୍ରା କଲା ପରେ ସେମାନେ ଏକ ସୁରକ୍ଷିତ ଜାଗାରେ ପହଞ୍ଚି ସାରିଥିଲେ। ସେଠାରେ ସେ ରାଜାଙ୍କ ଯତ୍ନ ନେଲେ। ଦିନେ ରାଜା ତାଙ୍କୁ ପଚାରିଲେ- ଆପଣ ମୋ ଲାଗି ଏତେ କଷ୍ଟ ସହି ପାରୁଛନ୍ତି କେମିତି?
ସେହି ବ୍ୟକ୍ତି କହିଲେ- ଅନ୍ୟ ଲାଗି ସବୁ କଷ୍ଟ ସହିଯିବା ଲାଗି ଦରକାର ମନରେ ଗଭୀର ଶ୍ରଦ୍ଧା ବା ପ୍ରେମ। ସେଥି ଲାଗି ତ ମା’ ତା’ ପିଲା ଲାଗି ସବୁ କଷ୍ଟ ସହିପାରେ। ମୁଁ ଆପଣଙ୍କ ଲାଗି ଯାହା କରୁଛି ତାହା ରାଜାଙ୍କ ପ୍ରତି ବଶମ୍ବଦତା ବା ରାଜାଙ୍କ ପ୍ରତି ସମ୍ମାନ ହେତୁ ନୁହେଁ। ତାହା ମୁଁ କରୁଛି ରାଜାଙ୍କ ପ୍ରତି ଶ୍ରଦ୍ଧା ଲାଗି। ଆମେ ଆପଣଙ୍କ ଲାଗି ସବୁ କିଛି ସହି ପାରିବୁ।