ଥରେ ଉଜ୍ବେକିସ୍ତାନର ରାଜା ରାଜ୍ୟର ଜ୍ଞାନୀମାନଙ୍କୁ ସମ୍ବର୍ଦ୍ଧନା ଦେଉଥିଲେ। ଏଇ ସମୟରେ ମୁଲ୍ଲା ନସିରୁଦ୍ଦିନ ପହଞ୍ଚିଲେ। ମୁଲ୍ଲାଙ୍କୁ ଦେଖିଲେ ରାଜା ତାଙ୍କ ସହିତ ପରିହାସ କରନ୍ତି। ତେଣୁ ରାଜା ପଚାରିଲେ - ମୁଲ୍ଲା କହିଲ ଦେଖି ଏହି ଜ୍ଞାନୀମାନଙ୍କ ମୁଣ୍ତରେ ଅସଲରେ ଜ୍ଞାନ ଅଛି କି ନାହିଁ କେମିତି ଜାଣିବା?
ମୁଲ୍ଲା କହିଲେ- ମହାରାଜ, ମାଠିଆରେ ପାଣି ଭରା ଅଛି କି ନାହିଁ ଯେମିତି ଜାଣନ୍ତି, ସେମିତି। ମୁଣ୍ତରେ ଟିପ ମାରିଦେଲେ ଶବ୍ଦରୁ ଜାଣି ହେବ କିଏ ଜ୍ଞାନୀ ଓ କାହା ମୁଣ୍ତ ଖାଲି।
ରାଜା କହିଲେ- ଏମନ୍ତ? ଏବେ ତାହା ହେଲେ ଏମାନଙ୍କ ମୁଣ୍ତରେ ଟିପ ମାରି କୁହ କିଏ ଜ୍ଞାନୀ ଓ କିଏ ନୁହେଁ।
ମୁଲ୍ଲା କହିଲେ- ଠିକ୍ ଅଛି।
ଏବେ ମୁଲ୍ଲା ଜ୍ଞାନୀମାନଙ୍କ ମୁଣ୍ତରେ ଆଙ୍ଗୁଠିରେ ଟିପ ମାରିବାକୁ ଲାଗିଲେ। ଏଭଳି ମନ ମଉଜିଆ ପରିବେଶରେ ଅନେକ ଜ୍ଞାନୀ ମୁଲ୍ଲାଙ୍କୁ ମୁଣ୍ତ ଦେଖାଇ ଦେଉଥାଆନ୍ତି। କିନ୍ତୁ କେତେ ଜଣ ଏଥିରେ ଅପମାନିତ ବୋଧ କରି ମୁଣ୍ତ ଦେଖାଇଲେ ନାହିଁ। ମୁଲ୍ଲା ଜୋର କରିବାରୁ ବଡ଼ ପାଟିରେ ପ୍ରତିବାଦ କଲେ।
ସବୁ ସରିବା ପରେ ମୁଲ୍ଲା ତାଙ୍କ ପରୀକ୍ଷା ଫଳ ଦେଲେ। ରାଜା ତାହା ଦେଖି କହିଲେ- ମୁଲ୍ଲା ଏହା ଠିକ ହେଲା ନାହିଁ। ଯେଉଁମାନେ ତୁମକୁ ଟିପ ମାରିବାକୁ ଦେଲେ ନାହିଁ ସେମାନଙ୍କୁ ତୁମେ ରାଗରେ ଜ୍ଞାନଶୂନ୍ୟ ବୋଲି କହିଛ।
ମୁଲ୍ଲା କହିଲେ- ମହାରାଜ, ତା’ ନୁହେଁ। କଥା ହେଲା, ଟିପ ମାରିଲେ ଫମ୍ପା ମାଠିଆ ବା ଖାଲି ମାଠିଆରୁ ସ୍ବର ବାହାରେ। ଏବେ ଦେଖନ୍ତୁ କେଉଁମାନେ ଟିପ ମାରିଲା ବେଳେ ସ୍ବର ବାହାର କରିଥିଲେ!