ଜ୍ଞାନ ଲାଭ

କଥାଟିଏ - ଯାଯାବର

ଜଣେ ତରୁଣ ଯାବତୀୟ ଶାସ୍ତ୍ର ଅଧୢୟନ କରି ଜ୍ଞାନୀ ହେଲା ପରେ ମଧୢ ତା’ ମନରେ ଧାରଣା ହେଲା ଯେମିତି ତା’ ପାଖରେ ଅନେକ କିଛି ଅଭାବ ରହିଯାଇଛି। ତାର ଜ୍ଞାନ ଅଛି ସତ, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଜଣେ ସାଧାରଣ ଅପାଠୁଆ ଲୋକଙ୍କ ତୁଣ୍ତରୁ ବାହାରି ପଡୁଥିବା ଭଳି ପ୍ରଜ୍ଞା ସମ୍ବଳିତ ବିଚାର ତା’ଠାରେ ନାହିଁ। ତେବେ, ତାହା ସେ କେମିତି ପାଇବ? ସେହି ଚିନ୍ତାରେ ସେ ଘାରି ହେଲା।

ଦିନେ ଏମିତି ଭାବି ସେ ଏକ ଜଳାଶୟ ନିକଟରେ ବସି ତାର ଆଙ୍ଗୁଠିରୁ ଏକ ସୁବର୍ଣ୍ଣ ମୁଦି ବାହାର କରି ଅନ୍ୟମନସ୍କ ଭାବେ ଏପଟସେପଟ କରୁଥିବା ବେଳେ ହଠାତ୍‌ ତାହା ତା’ ହାତରୁ ଖସିଯାଇ ପାଣିରେ ପଡ଼ିଗଲା। ଜଳାଶୟଟି ଥିଲା ଗଭୀର। କିନ୍ତୁ ତହିଁରେ ଥିଲା କାଚ କେନ୍ଦୁ ଭଳି ପାଣି। ସେ ଦେଖିଲା ମୁଦିଟି ଯାଇ ତଳେ ରହିଛି। କିନ୍ତୁ ସେ ପହଁରା ଜାଣି ନ ଥିବାରୁ ଜଳାଶୟ ଭିତରକୁ ଭରସି ପାରିଲା ନାହିଁ।

ଏହି ସମୟରେ ସେହି ବାଟ ଦେଇ ଜଣେ ଗ୍ରାମବାସୀ ଯାଉଥିବାରୁ ତାକୁ ଡାକି ତାର ସାହାଯ୍ୟ ଲୋଡ଼ିଲା। ସେହି ଲୋକ ତତ୍‌କ୍ଷଣାତ୍‌ ପାଣିରେ ବୁଡ଼ି ମୁଦିଟିକୁ ଧରି ବାହାରି ଆସିଲା।

ଯୁବକ ଜଣକ ତାକୁ ଧନ୍ୟବାଦ ଦେଉଥିବା ବେଳେ ସେହି ବ୍ୟକ୍ତି ଚାଲି ଯାଉ ଯାଉ କହିଲା- ବାବୁ, ବୁଡ଼ି ଜାଣିଲେ ସିନା ପାଇବ!

ଏହି ଧାଡ଼ିକ କଥାରେ ଏଭଳି ପ୍ରଜ୍ଞାର ଝଲକ ଥିଲା ଯେ ଯୁବକର ଚୈତନ୍ୟ ଉଦୟ ହୋଇଗଲା। ସେ ବୁଝିପାରିଲା ଯେ ଏଯାବତ୍‌ ସେ ଯାହା ହାସଲ କରିଛି, ତାହା ହେଲା ଶାସ୍ତ୍ରର ଜ୍ଞାନ; ଯେଉଁ ଶାସ୍ତ୍ର ଅନ୍ୟମାନଙ୍କ ଦ୍ବାରା ଲିଖିତ। ତାର ନିଜସ୍ବ ଜ୍ଞାନ କିଛି ନାହିଁ। ତାକୁ ପାଇବାକୁ ହେଲେ ତାକୁ ନିଜ ଭିତରେ ବୁଡ଼ିବାକୁ ହେବ। କାରଣ ସେଇଠି ପ୍ରଜ୍ଞା ରୂପକ ସୁନାମୁଦି ଚକଚକ କରୁଛି।

ସମ୍ବନ୍ଧିତ ଖବର