ଈଶ୍ୱର ବିଶ୍ୱାସ

କଥାଟିଏ - ଯାଯାବର

ଏକ ଦୁର୍ଗମ ପାହାଡ଼ ଉପରେ ରହୁଥିଲେ ଜଣେ ସାଧୁ। ଥରେ ତାଙ୍କ ପାଖକୁ ଜଣେ ବଣିକ ଆସିଲେ। ବଣିକଙ୍କ ପୁଅ ଅନେକ ଦିନ ଧରି ଏକ ବ୍ୟାଧିରେ ପୀଡ଼ିତ ଥିଲା। ସବୁ ବୈଦ୍ୟ ବିଫଳ ହେବା ପରେ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ। ଏକ ଘୋଡ଼ା ପିଠିରେ ବସି ତୀଖ, ଅଣଓସାରିଆ ଓ କାଦୁଅ ଦ୍ବାରା ପିଚ୍ଛିଳ ଘାଟି ରାସ୍ତାରେ ସେ ଆସିଥିଲେ। ଘୋଡ଼ାର ଗୋଡ଼ ଟିକିଏ ଖସିଲେ ମୃତ୍ୟୁ ସୁନିଶ୍ଚିତ ଥିବାରୁ ସେ ଭଗବାନଙ୍କୁ ଡାକି ଡାକି ଆସିଥିଲେ।

ଯାହାହେଉ, ସାଧୁସବୁ ଶୁଣିବା ପରେ କହିଲେ- ଭଗବାନଙ୍କ ଉପରେ ସବୁ ଛାଡ଼ିଦିଅ। ତୁମ ପୁଅ ଭଲ ହୋଇଯିବ।

ବଣିକ ଏହା ଶୁଣି ହତାଶ ହୋଇ ଘରକୁ ଫେରିଲେ। ତଥାପି ସେ ଭଗବାନଙ୍କୁ ପ୍ରତିଦିନ ମନ ଧୢାନ ଦେଇ ପ୍ରାର୍ଥନା କଲେ। କିନ୍ତୁ ପୁଅର ଦେହ ଭଲ ହେଲା ନାହିଁ। ସେ ବ୍ୟସ୍ତ ହୋଇ ପୁଣି ସାଧୁଙ୍କ ପାଖକୁ ଆସିଲେ। ସାଧୁ ତାଙ୍କୁ କହିଲେ-ଭଗବାନଙ୍କ ଉପରେ ଭରସା ନାହିଁ ବୋଲି ତୁମେ ଭୟଭୀତ ହେଉଛ। ବଣିକ କହିଲେ- ପୁଅ ଦେହ ପ୍ରତିଦିନ ବିଗିଡ଼ିବାକୁ ଲାଗିଛି। ଭରସା ପାଇବ କେମିତି?

ସାଧୁ କହିଲେ- ଆଉ କିଛି ଉପାୟ ନାହିଁ, କେବଳ ଭଗବାନ ବଞ୍ଚାଇବେ।

ଏଇ ସମୟରେ ପ୍ରବଳ ବର୍ଷା ହେଲା। ବର୍ଷା ପରେ ସେଇ ରାସ୍ତାରେ ଫେରିବା ବଣିକଙ୍କ ଲାଗି ଅସମ୍ଭବ ଥିଲା। ସାଧୁ କହିଲେ- ମୋର ଜଣେ ଶିଷ୍ୟ ଏଭଳି ରାସ୍ତାରେ ଘୋଡ଼ା ଚଳାଇ ନେବାରେ ଧୁରନ୍ଧର। ମୁଁ ତାକୁ ପଠାଉଛି ତୁମକୁ ଛାଡ଼ିଦେଇ ଆସିବ। ଏଥର ସାଧୁଙ୍କ ଶିଷ୍ୟ ବଣିକଙ୍କୁ ଧରି ବାହାରିଲା। ଘରେ ବଣିକ ଓହ୍ଲାଇ ଗଲା ପରେ ଶିଷ୍ୟ ପଚାରିଲେ- ମୋ ସହିତ ଥିଲା ବେଳେ ଭୟ ଲାଗୁଥିଲା? ବଣିକ କହିଲେ- ଆପଣଙ୍କ ଭଳି ଓସ୍ତାଦ ହାତରେ ସବୁ ଦାୟିତ୍ବ ଥିଲା। ତେଣୁ ଭୟ କାହିଁକି କରିଥାନ୍ତି?

ଶିଷ୍ୟ କହିଲେ- ଠିକ୍‌ ସେମିତି, ଭଗବାନଙ୍କ ଭଳି ଓସ୍ତାଦଙ୍କ ହାତରେ ପୁଅକୁ ଛାଡ଼ିଦିଅ। ଭୟ କରନା। ସବୁ ଠିକ ହୋଇଯିବ।

ସମ୍ବନ୍ଧିତ ଖବର