ଭଗବାନ କେଉଁଠି?

କଥାଟିଏ - ଯାଯାବର

ଭଗବାନ କେଉଁଠି ଅଛନ୍ତି ବୋଲି ଜଣେ ପଚାରନ୍ତେ ସାଧୁ ନିଜ ଜୀବନର ଏହି ଅନୁଭୂତିଟି କହିଲେ।

ସେ କହିଲେ- ଆଦ୍ୟ ତାରୁଣ୍ୟରେ ମୋ ମନରେ ଈଶ୍ବରଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ମୁଁ ଥରେ ମୋ ଗୁରୁଙ୍କୁ କହିଲି- ମୁଁ ଭଗବାନଙ୍କୁ କେଉଁଠି ପାଇବି?

ଗୁରୁ ମୋତେ ନେଇ ନିକଟସ୍ଥ ଏକ ମନ୍ଦିରକୁ ଗଲେ। ସେ ଦିନ ମନ୍ଦିରରେ କୌଣସି ଏକ ଉତ୍ସବ ଥାଏ। ଅନେକ ଲୋକ ସମବେତ ହୋଇଥାଆନ୍ତି। ଘଣ୍ଟ ଓ ଶଙ୍ଖ ବାଜୁଥାଏ। ଅନେକ ଲୋକ ଆଖି ବୁଜି ମନ୍ଦିରର ପ୍ରାଙ୍ଗଣରେ ବସିଥାଆନ୍ତି। ଗୁରୁ ଏବ˚ ମୁଁ ସେଇଠାରେ ବସିଲୁ। ମୁଁ ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କଲି। ହଠାତ୍‌ ଗୁରୁ ପ୍ରଶ୍ନ କଲେ- ତୁମେ ଆଖି ବୁଜିଛ କାହିଁକି?

ମୁଁ କିଛି ବୁଝି ନ ପାରି ଉତ୍ତର ଦେଲି- ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କରୁଛି।

ଗୁରୁ ପୁଣି ପ୍ରଶ୍ନ କଲେ- ଭଗବାନ କାହାନ୍ତି?

ମୁଁ ଉତ୍ତର ଦେଲି- ମନ୍ଦିର ଭିତରେ।

ଗୁରୁ ପଚାରିଲେ- ତେବେ ଭଗବାନଙ୍କ ସହିତ କଥା ହେଲା ବେଳେ ଆଖି ବୁଜିଛ କାହିଁକି? ଭଗବାନ ତ ତୁମ ଆଗରେ। ଆଖି ଖୋଲି ପ୍ରାର୍ଥନା କରୁନା?

ମୁଁ ନିରୁତ୍ତର ରହିଲି।

ଗୁରୁ କହିଲେ- ଶୁଣ, ଭଗବାନ ପ୍ରକୃତରେ ଆମ ଅନ୍ତର ଭିତରେ ହିଁ ଅଛନ୍ତି। ଆମକୁ ଆମ ଭିତରେ ଭଗବାନଙ୍କୁ ଖୋଜିବାକୁ ପଡୁଥିବାରୁ ଆମେ ପ୍ରାର୍ଥନା କଲା ବେଳେ ଆଖି ବନ୍ଦ କରୁ। ମୁଁ ମୋ ପ୍ରଶ୍ନର ଉତ୍ତର ପାଇଗଲି। ଏବେ ଆଶା କରେ ତୁମେ ମଧୢ ତୁମ ପ୍ରଶ୍ନର ଉତ୍ତର ପାଇ ସାରିଥିବ।

ସମ୍ବନ୍ଧିତ ଖବର