ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ଥିଲେ। ସେ ଥିଲେ ସରଳ। ତାଙ୍କର ସରଳ ପଣର ସୁଯୋଗ ନେଇ ଦଳେ ଚୋର ଠିକ୍ କଲେ ଯେ ତାଙ୍କୁ ଠକି ତାଙ୍କର ଧନସ˚ପତ୍ତି ଲୁଟିନେବେ। ସେଥି ଲାଗି ସେମାନେ ନିଜ ଦଳର ଜଣେ ଯୁବକକୁ ବାଛିଲେ, ଯେ ଥିଲା ଅତ୍ୟନ୍ତ ବାକ୍ ଚତୁର। ଯୁବକଟି ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇ ଅତି ଶୀଘ୍ର ତାଙ୍କ ମନରେ ବିଶ୍ବାସ ଜନ୍ମାଇ ତାଙ୍କ ଘରେ ଚାକିରିଟିଏ ପାଇଲା।
ଅଳ୍ପ ଦିନ ଭିତରେ ଯୁବକଟି ନିଜ ବ୍ୟବହାର ଏବ˚ କଥାବାର୍ତ୍ତାରେ ଧନିକଙ୍କୁ ମୁଗ୍ଧ କରି ତାଙ୍କ ବ୍ୟକ୍ତିଗତ ପରିଚାରକ ହୋଇଗଲା। ସେ ନିଜ ଦଳକୁ ଖବର ପଠାଇଲା- ଅଳ୍ପ କିଛି ଦିନ ଅପେକ୍ଷା କର। ବୁଢ଼ା ଘରେ କଳାକନା ବୁଲେଇ ଦେବି।
କିଛି ମାସ ଭିତରେ ସେଇ ଯୁବକ ଧନିକଙ୍କ ଏତେ ବିଶ୍ବାସଭାଜନ ହୋଇଗଲା ଯେ ତା’ପାଖରେ ଘରର ଆଉ କିଛି ଲୁଚାଚୋରା ରହିଲା ନାହିଁ। ଶେଷରେ ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଜାଣିଲା ଯେ ସେ ବିଷ ଦେଲେ ବି ମାଲିକ କୌଣସି ପ୍ରଶ୍ନ ନ କରି ପିଇଯିବେ।
କିଛି ଦିନ ଗଲା ପରେ ତା’ ଦଳର ଲୋକେ ଦେଖିଲେ ଯେ ସେ ଆଉ ଆଗ ଭଳି ସେମାନଙ୍କ ପାଖକୁ ଖବର ପଠାଉନାହିଁ। ଦଳପତି କହିଲା- ସେ ବୋଧହୁଏ ତାର ଉଦ୍ଦେଶ୍ୟ କ’ଣ ତାହା ଭୁଲିଗଲାଣି। ତେଣୁ ଦଳ ପକ୍ଷରୁ ତାକୁ ଖବର ପଠାଗଲା- ଏବେ ହେଉଛି ଠିକଣା ସମୟ। ଦିନ ଠିକ୍ କର। ଆମେମାନେ ଆସି କାମ ସାରିଦେବା।
ଯୁବକ ପ୍ରତ୍ୟୁତ୍ତର ଜଣାଇଲା- ନା ଆଉ ଠିକଣା ସମୟ କେବେ ବି ଆସିବ ନାହିଁ। କାରଣ ଏମିତି ଗଭୀର ଓ ନିରୋଳା ବିଶ୍ବାସ ଭଙ୍ଗ କରିହେବ ନାହିଁ।