ଜଣେ ବ୍ୟକ୍ତି ଗୁରୁଙ୍କ ନିକଟରେ କହିଲେ- ମହାତ୍ମା, ମୁଁ ବଡ଼ ଦୁଃଖରେ ଅଛି। ମୋ ଭାଗ୍ୟର ବିଡ଼ମ୍ବନା, ମୁଁ ମୋ ଜୀବନରେ ଯାହା ଚାହିଁଛି, ଯାହା ଭଲ ପାଏ, ତାହା କେବେ ପାଇନାହିଁ।

Advertisment

ଗୁରୁ କହିଲେ- କ’ଣ ଚାହିଁଛ ପାଇନାହଁ କୁହ।

ଭଦ୍ରବ୍ୟକ୍ତି କହିଲେ- ଚାହିଁଥିଲି ଭଲ ଘରଟିଏ କରିବି, କିନ୍ତୁ ଜୀବନର ଅପରାହ୍‌ଣରେ ବି ବାପା କରିଥିବା ଛୋଟ ଦଦରା ଘରେ ରହିବାକୁ ପଡୁଛି। ଭାବିଥିଲି ଭଲ ରୋଜଗାର କରି ଆରାମରେ ଚଳିବି, କିନ୍ତୁ ଭଲ ଆୟ କରିପାରିଲି ନାହିଁ। ପିଲାଟା ଭଲ ପଢୁଥିଲା। ଭାବିଥିଲି ବଡ଼ ଚାକିରି କରିବ। ସନ୍ତାନ ସୁଖ ମୋ ଭାଗ୍ୟରେ ଆସିବ। ତାହା ବି ହେଲା ନାହିଁ। ତା’ ପାଠପଢ଼ା କୁଆଡ଼େ ଗଲା! ଏବେ ମୋ ପାଖରେ ରହି ଛୋଟିଆ ବେପାରଟିଏ କରିଛି, ସେଥିରେ ତା’ର ବି ଢୋକେ ପିଇ ଦଣ୍ତେ ଜିଇ ଅବସ୍ଥା।

ଏ ସବୁ ଶୁଣିବା ପରେ ଗୁରୁ କହିଲେ- ମୁଁ ତୁମ କଥାରୁ ଯାହା ବୁଝିଲି ସୁଖ ପାଇବା ଲାଗି ଯେଉଁ ବାଟରେ ଯିବା କଥା, ତୁମେ ତା’ର ସ˚ପୂର୍ଣ୍ଣ ବିପରୀତ ବାଟରେ ଯାଉଛ।

ଆଜ୍ଞା, ସେଇଟା କେମିତି କଥା? ଭଦ୍ରଲୋକ ପ୍ରଶ୍ନ କଲେ।

ଗୁରୁ କହିଲେ- ତୁମେ ଯାହା ଭଲ ପାଅ, ତୁମେ ଯାହା ଚାହଁ, ସେ ସବୁ ନ ପାଇଲ ବୋଲି ଦୁଃଖୀ। କିନ୍ତୁ ସେଇ ଧାରାରେ ଜୀବନରେ କେବେ ବି ସୁଖୀ ହେବାର ସମ୍ଭାବନା ନାହିଁ। ବର˚, ତୁମେ ଯାହା ପାଇଛ ତାକୁ ଯଦି ଭଲ ପାଇପାରିବ ତେବେ ସୁଖୀ ହୋଇପାରିବ। ଏମିତି ଦେଖିଲେ ତୁମ ପାଖରେ ସବୁ ଅଛି, ଯଦିଓ ତୁମ ଚାହିଁବା ମୁତାବକ ନାହିଁ। ତେଣୁ ତୁମେ ଯାହା ପାଇଛ ତାକୁ ଭଲ ପାଇଲେ ସୁଖୀ ହୋଇପାରିବ। ଏଥି ଲାଗି କେବଳ ତୁମ ମନକୁ ବଦଳାଇବାକୁ ହେବ।