ଜଣେ ବିଚାରପତିଙ୍କ ପାଖରେ ଜଣେ ବୃଦ୍ଧା ଅଭିଯୋଗ କଲେ ଯେ ତାଙ୍କ ବୋହୂ ତାଙ୍କ ପ୍ରତି ଖରାପ ବ୍ୟବହାର କରୁଛି।
ବିଚାରକ ବୋହୂଙ୍କୁ ନିଜ ପକ୍ଷ ରଖିବା ଲାଗି କହିଲେ।
ବୋହୂ କହିଲେ- ଆଜ୍ଞା, ମୋ ଶାଶୂ କ୍ଷଣକୋପୀ। ପାନରୁ ଚୂନ ଖସିଲେ ସେ ବିଗିଡ଼ି ଯାଆନ୍ତି, ଗାଳିମନ୍ଦ କରନ୍ତି। ମୁଁ ତେଣୁ ବେଳେ ବେଳେ ରାଗି ଯାଇ କିଛି କହିପକାଏ।
ଏହା ଶୁଣି ବୃଦ୍ଧା କହିଲେ-ସେ ସତ ଲୁଚାଉଛି। ଅସଲ ସତ ଜାଣିବା ଲାଗି ମୋ ପୁଅ ଅର୍ଥାତ୍ ତା’ ସ୍ବାମୀକୁ ଡାକନ୍ତୁ।
ଏଥର ବୃଦ୍ଧାଙ୍କ ପୁଅ ଆସିଲେ। ସେ କହିଲେ- ଆଜ୍ଞା, ମୋ ମା’ଙ୍କ ବୟସ ସତୁରି ଉପରେ ହେଲାଣି। ତେଣୁ ତାଙ୍କୁ କଥା ବାଧେ। କିନ୍ତୁ ମୋ ସ୍ତ୍ରୀ ସେତକ ବୁଝେନାହିଁ। ଅନେକ ସମୟରେ ତାଙ୍କୁ ଭଲ ଖରାପ କରି କହେ।
ଏହା ଶୁଣି ବୋହୂ କହିଲେ- ପୁଅ ତ ମା’ଙ୍କ ପକ୍ଷ ନେବେ। ମୋ ପୁଅକୁ ଡାକନ୍ତୁ ସେ ଅସଲ କଥାଟି କହିବ।
ଏଥର ବୃଦ୍ଧାଙ୍କ ନାତି ଆସିଲା। ସେ କହିଲା- ମୋ ମା’ ସେମିତି ନୁହନ୍ତି। ଘର ଗୋଟା ଯାକର କାମ ସେ କରନ୍ତି। ତାଙ୍କ ଉପରେ ପ୍ରବଳ କାର୍ଯ୍ୟ ଭାର। ତେଣୁ ତାଙ୍କ ଉପରେ ରୁଗୁରୁଗୁ ହେଲେ ସେ ବି ରାଗିଯାଉଥିବେ। ତେଣୁ ଏ କଥାକୁ ବି ଆପଣ ବିଚାର କରିବା ଦରକାର।
ବିଚାରକ କହିଲେ- ହଉ, ବହୁତ ହୋଇଗଲା। କିଏ ଭୁଲ୍ ବା କିଏ ଠିକ୍ ତାହା ବିଚାର କରିବା ଅସମ୍ଭବ। କାରଣ ପ୍ରତ୍ୟେକ ଲୋକ ନିଜ ପକ୍ଷରୁ ବିଚାର କରି ସେ ନିଜେ ଠିକ୍ ଏବ˚ ଅନ୍ୟମାନେ ଭୁଲ୍ ବୋଲି ଭାବେ। ତେଣୁ ଏମିତି ଠିକ୍ ଭୁଲ୍ର ବିଚାର କରିବା କଷ୍ଟକର। ତେବେ, ଏଇ ପରିବାରରେ ଶାଶୂ ଓ ବୋହୂ କେବଳ ଗୋଟିଏ ଦୋଷରେ ଦୋଷୀ; ତାହା ହେଲା ଭାବର ଅଭାବ ଦୋଷ। ଦୁହିଁଙ୍କ ଭିତରେ ଶ୍ରଦ୍ଧା ନ ଥିବାରୁ ଏମିତି ହୋଇଛି। ଯଦି ଶ୍ରଦ୍ଧା ଭାବ ଆସିବ ତେବେ ତୁମେ ପରସ୍ପରର ଦୋଷକୁ ନଜରଅନ୍ଦାଜ କରିବ ଓ ଖୁସିରେ ରହିବ।